ଭୁବନେଶ୍ୱର: ବିଭାଗୀୟ ସଚିବମାନଙ୍କ କ୍ଷମତାରେ ଚୋଟ ମାରିଛନ୍ତି ମୋହନ ସରକାର । କ୍ୟାବିନେଟ୍ ମିଟିଂ ରେ ଆଉ ସେମାନଙ୍କର ରାଜ୍ ରହିବ ନାହିଁ । କ୍ୟାବିନେଟ୍ ମିଟିଂ ଚାଲିଥିବା ବେଳେ ସେମାନେ ପାଖ ହଲ୍ ରେ ବସି ରହିବେ । କିଛି ସ୍ପଷ୍ଟୀକରଣ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମତିକ୍ରମେ କ୍ୟାବିନେଟ୍ ମିଟିଂ ହଲ୍ କୁ ଯିବେ ଏବଂ କାମ ସାରି ପଳେଇ ଆସିବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ମନ୍ତ୍ରୀମାନଙ୍କ ସହ କେବଳ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିସନର ଉପସ୍ଥିତ ରହିବେ ।
ଏହିଭଳି ଭାବେ ରାଜ୍ୟ କ୍ୟାବିନେଟ୍ ର ଢ଼ାଞ୍ଚା ବଦଳେଇଛନ୍ତି ସରକାର । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଆଜି ଏହାର ନିର୍ଦ୍ଦେଶନାମା ଜାରି ହୋଇଛି ।
ବିଜେଡି ସରକାରରେ କ୍ୟାବିନେଟ୍ ନିଷ୍ପତ୍ତିରେ ମନ୍ତ୍ରୀମାନଙ୍କର ଭୂମିକା ଗୌଣ ଥିଲା ବେଳେ ଏବେ ନୂଆ ବ୍ୟବସ୍ଥାରେ ସଚିବଙ୍କ କ୍ଷମତା ସଙ୍କୁଚିତ ହୋଇ ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଛି । ମନ୍ତ୍ରୀଙ୍କ ପାଖକୁ ଏଣିକି କ୍ୟାବିନେଟ୍ ପ୍ରସ୍ତାବ ଫାଇଲ୍ ଯିବ । ଯାହା ନବୀନ ସରକାରରେ ନ ଥିଲା ।
ସେହିଭଳି ବିଜେଡି ସରକାରରେ କ୍ୟାବିନେଟ୍ ବୈଠକ ଝଡ଼ ଭଳି ଆସୁଥିଲା । ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ ପୂର୍ବରୁ ଅବଗତ କରାଯାଉ ନ ଥିଲା । ସେହି ଦିନ ସକାଳୁ ଡାକରା ଆସୁଥିଲା । ସେମାନଙ୍କୁ କ୍ୟାବିନେଟ୍ ଏଜେଣ୍ଡା ଦିଆ ଯାଉ ନ ଥିଲା । ମାତ୍ର ନୂଆ ବ୍ୟବସ୍ଥାରେ ସେଭଳି ହେବ ନାହିଁ ।
କ୍ୟାବିନେଟ୍ ବୈଠକ ୫ ଦିନ ପୂର୍ବରୁ ତାରିଖ ଧାର୍ଯ୍ୟ ହେବ । ୩ ଦିନ ପୂର୍ବରୁ ପ୍ରସ୍ତାବଗୁଡ଼ିକ ଚୂଡ଼ାନ୍ତ ହେବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଫାଇଲ୍ ଯିବ । କ୍ୟାବିନେଟ୍ ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ଦାୟିତ୍ୱ ସଂପୃକ୍ତ ମନ୍ତ୍ରୀଙ୍କ ଉପରେ ନ୍ୟସ୍ତ କରାଯାଇଛି ।







