ଭୁବନେଶ୍ୱର: ଚଳିତବର୍ଷଠାରୁ ସରକାରୀ କଲେଜରେ ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ ପଢ଼ିବେ ଅନୁସୂଚିତ ଜାତି ଓ ଜନଜାତି(ଏସସି/ଏସଟି) ବର୍ଗର ଛାତ୍ରଛାତ୍ରୀ । ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ରେ ରାଜ୍ୟ ସରକାର ସେମାନଙ୍କ ଖର୍ଚ୍ଚ ବହନ କରିବେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ଶ୍ରୀମତୀ ରୂପାରୋଶନ ସାହୁ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏହି ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ମେଡିକାଲ୍(ଏମବିବିଏସ) ଓ ଇଞ୍ଜିନିୟରିଂ(ବି-ଟେକ୍, ଏମ-ଟେକ୍) ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି’ ରାଜ୍ୟ ସରକାର ବହନ କରିବେ । ରାଜ୍ୟର ସମସ୍ତ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିବା ଏସସି/ଏସଟି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସେମାନେ ଦେଇଥିବା ଫି’ ଫେରସ୍ତ ମିଳିବ ।
କୋର୍ସ ଫି’ ନାମଲେଖା ଦେୟ, ସିଟ୍ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି'(ଟୁ୍ୟସନ ଫି’ ଓ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ), ହଷ୍ଟେଲ ନାମଲେଖା ଦେୟ ଓ ବାର୍ଷିକ ହଷ୍ଟେଲ ମେସ୍ ଚାର୍ଜ ସମେତ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଯଥା ବହି, କୋଚିଂ ସାମଗ୍ରୀ, ଟୁ୍ୟଟୋରିଆଲ୍ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବେ ।
ସରକାରୀ ଶିକ୍ଷାନୁଷ୍ଠାନର ଡିନ୍ ବା ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଉପରୋକ୍ତ ସମସ୍ତ ଖର୍ଚ୍ଚକୁ ଭରଣା କରିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇପାରିବ । ୨୦୨୩-୨୪ ଶିକ୍ଷାବର୍ଷରୁ ସମସ୍ତ ଯୋଗ୍ୟ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ ।