ଭୁବନେଶ୍ୱର: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ପାଇଛନ୍ତି । କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷାଫଳ ଘୋଷଣା କରିଥିଲେ । ଏଥର ମାଟ୍ରିକ୍ ପାସ୍ ହାର ରହିଛି ୯୭.୮୯% ।
ଏବର୍ଷ ମୋଟ ୫, ୭୪,୧୨୫ ଛାତ୍ରଛାତ୍ରୀ ମାଟ୍ରିକ୍ ପଢୁଥିଲେ । ସେମାନଙ୍କ ମଧ୍ୟରୁ ୫,୬୨,୦୧୦ ପାସ୍ କରିଛନ୍ତି । ୭୭୦୩ ପିଲା ଫେଲ୍ ହୋଇଛନ୍ତି । ୪୪୧୨ ପିଲା ଅନୁପସ୍ଥିତ ଥିଲା ବେଳେ ୨୨୫୬ ପିଲାଙ୍କ ମାର୍କ ସ୍କୁଲ କର୍ତ୍ତୃପକ୍ଷ ଦେଇନାହାନ୍ତି । ୫୯୪୫ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଏଥର କୌଣସି ସ୍କୁଲ ଜିରୋ ରେଜଲ୍ଟ କରିନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଗତବର୍ଷ A1 ଗ୍ରେଡ୍ ରେ ୧୨୭୯ ପିଲା ପାସ୍ କରିଥିଲେ । ମାତ୍ର ଏଥର A1 ରେ ୨୬୫୬ ପିଲା ପାସ୍ କରିଛନ୍ତି । ସେହିଭଳି A2 ଗ୍ରେଡ୍ ରେ ଗତବର୍ଷ ୮୪୫୦ ପିଲା ପାସ୍ କରିଥିଲା ବେଳେ ଏଥର ୨୨,୧୩୧ ପିଲା ପାସ୍ କରିଛନ୍ତି । B1 ରେ ୫୨,୨୯୯ ଏବଂ B2 ରେ ୯୪,୪୭୫ ପିଲା ପାସ୍ କରିଛନ୍ତି ।
ଅନ୍ୟପକ୍ଷରେ ମୋଟ ୫୩,୨୭୯ ଏକ୍ସ ରେଗୁଲାର ପିଲାଙ୍କ ମଧ୍ୟରୁ ୪୭,୦୬୦ ପିଲା ପାସ୍ କରିଛନ୍ତି । ଏକ୍ସ ରେଗୁଲାର ପାସ୍ ହାର ହେଉଛି ୮୮.୩୦% ।
ଯେଉଁ ଛାତ୍ରଛାତ୍ରୀମାନେ ରେଜଲ୍ଟରେ ସନ୍ତୁଷ୍ଟ ନୁହଁନ୍ତି, କରୋନା ସ୍ଥିତି ସୁଧାରିଲା ପରେ ସେମାନଙ୍କୁ ଅଫଲାଇନ୍ ରେ ପରୀକ୍ଷା ଦେବାର ସୁଯୋଗ ରହିଛି । ପରୀକ୍ଷା ଦେବା ପାଇଁ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ସେମାନେ ଫର୍ମ ଫିଲପ୍ କରିବେ । ବୋର୍ଡ ପକ୍ଷରୁ ଏଥିନେଇ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।
ସୂଚନାଯୋଗ୍ୟ, କରୋନା ଦ୍ୱିତୀୟ ଲହର ଯୋଗୁଁ ଚଳିତବର୍ଷ ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷା ଫଳାଫଳ ନିର୍ଣ୍ଣୟ ପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା ।