ଭୁବନେଶ୍ୱର: ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତାର ଶାଖା ଓଡ଼ିଶା-ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କୋଭିଡ୍ ଭଳି ବିଶ୍ୱ ମହାମାରୀ ସମୟରେ ରକ୍ତଦାନ ଶିବିର ଆୟୋଜନ, ପ୍ରବାସୀ ଶ୍ରମିକଙ୍କୁ ସହାୟତା, କୋଭିଡ୍ ଜନିତ ମୃତକଙ୍କ ଶବଦାହ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସମାଜର ହିତରେ କରିଆସୁଛି । ଗତବର୍ଷ ଧାର୍ଯ୍ୟଲକ୍ଷ୍ୟ ୧ ଲକ୍ଷ ୟୁନିଟ୍ କୁ ୧୦ ମାସରେ ଅତିକ୍ରମ କରି ୧ ଲକ୍ଷ ୩୮ ୟୁନିଟ୍ ହଜାର ରକ୍ତ ସଂଗ୍ରହ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।
ଏବେ ଅଙ୍ଗଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକୀୟ କାର୍ଯ୍ୟକ୍ରମକୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମଜୟନ୍ତୀ ଆଗାମୀ ମାର୍ଚ୍ଚ ୫ ତାରିଖରୁ ତାଙ୍କ ପୂଣ୍ୟତିଥି ଏପ୍ରିଲ ୧୭ ତାରିଖ ଯାଏଁ ଏକ ଅଭିଯାନ ଭାବେ ନିଆଯାଇଛି । ଏଥିପାଇଁ ଓଡ଼ିଶା-ମୋ ପରିବାରର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅଙ୍ଗଦାନ କାର୍ଯ୍ୟକ୍ରମ ଭଳି ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି । ଏଥିପାଇଁ ବିଜୁବାବୁଙ୍କ ୧୦୬ ତମ ଜନ୍ମଜୟନ୍ତୀରେ ଏହାର ୫ ଗୁଣ ଅର୍ଥାତ୍ ୫୩୦ ଜଣଙ୍କ ଅଙ୍ଗଦାନ ପଞ୍ଜିକରଣ ପାଇଁ ଧାର୍ଯ୍ୟ ରଖାଯାଇଛି ।
ଏହି ମହତ୍ ଅଭିଯାନରେ ବିଭିନ୍ନ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଯୋଡ଼ିହେବା ପାଇଁ ଓଡ଼ିଶା-ମୋ ପରିବାର ତରଫରୁ ଆହ୍ୱାନ କରାଯାଇଛି ବୋଲି ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆବାହକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବଡ଼ମ୍ବା ବିଧାୟକ ତଥା ଓଡ଼ିଶା-ମୋ ପରିବାର ଇନ୍-ଚାର୍ଜ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।