ଭୁୁବନେଶ୍ୱର: ୟୁକ୍ରେନ୍ ଉପରେ ରୁଷର ଘମାଘୋଟ ଆକ୍ରମଣ ଜାରି ରହିଥିବା ବେଳେ ଏବେ ବି ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି । ଇତିମଧ୍ୟରେ ଅନେକ ଛାତ୍ରଛାତ୍ରୀ ପଡ଼ୋଶୀ ଦେଶ ହଙ୍ଗେରି, ପୋଲାଣ୍ଡ, ରୋମାନିଆ ଏବଂ ସ୍ଲୋଭାକିଆ ପଳାଇ ଆସିଲେଣି ଏବଂ ସେଠାରୁ ଭାରତ ଆସିବାକୁ ଅପେକ୍ଷା କରିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଅଣାଯାଉଛି ।
ତେବେ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସମସ୍ତ ଓଡ଼ିଆଙ୍କୁ ୟୁକ୍ରେନ୍ ରୁ ଉଦ୍ଧାର କରି ଓଡ଼ିଶାରେ ନିରାପଦରେ ପହଞ୍ଚାଇବାର ଦାୟିତ୍ୱ ଓଡ଼ିଶା ସରକାର ନେଇଛନ୍ତି । ୟୁକ୍ରେନ୍ ରୁ ପଳାଇ ଆସି ପଡ଼ୋଶୀ ୪ ଦେଶରେ ଫସି ରହିଥିବା ଓଡ଼ିଆ ପିଲାଙ୍କୁ ଆଣିବାକୁ ରାଜ୍ୟ ସରକାର ୪ ପ୍ରତିନିଧିଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି ।
କିଟ୍ ଏବଂ କିସ୍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟଙ୍କୁ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା ଦାୟିତ୍ୱ ସହ ପୋଲାଣ୍ଡ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ନିଯୁକ୍ତି ଦିଆଯାଇଛି । ସେହିଭଳି ୟୁଏନଏଚସିଆରର ବରିଷ୍ଠ ଅଧିକାରୀ ଆରୁଷୀ ରାୟଙ୍କୁ ହଙ୍ଗେରୀ, ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଏବଂ ହଙ୍ଗେରିଠାରେ ଅବସ୍ଥାପିତ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତି ଦିଆଯାଇଛି ।
ନୂଆଦିଲ୍ଲୀଠାରେ ଥିବା ଆବାସିକ କମିସନର ନୋଡାଲ୍ ଅଫିସର ଭାବେ କାର୍ଯ୍ୟ କରିବେ । ଏହି ଓଡ଼ିଆ ଛାତ୍ରଛାତ୍ରୀଙ୍କ ଖାଇବା, ପିଇବା ଏବଂ ଯାତାୟତର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ଗୃହ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଖାର୍କିଭ୍ ମେଡ଼ିକାଲ୍ ୟୁନିଭରସିଟିରେ ପଢ଼ୁଥିବା ଅଧିକାଂଶ ଓଡ଼ିଆ ଛାତ୍ରଛାତ୍ରୀ ଇତିମଧ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର ପାଇସାରିଲେଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ ଏହାର ଶ୍ରେୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ସ୍ୱତନ୍ତ୍ର ବସ୍ ଯୋଗେ ଖାର୍କିଭ୍ ରୁ ଉଦ୍ଧାର ପାଇଥିବା ଜଣାଇଛନ୍ତି ।