ଭୁୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ବିଜ୍ଞାନରେ ୮୪.୯୩% ଏବଂ ବାଣିଜ୍ୟରେ ୮୧.୧୨% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଚଳିତବର୍ଷ ବିଜ୍ଞାନରେ ୯୨ ହଜାର ୯୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୮ ହଜାର ୯୩୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୩୯,୫୭୩, ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଏବଂ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୩୫୮ ଜଣ ପିଲା ୯୦% ରୁ ଅଧିକ ମାର୍କ ରଖିଛନ୍ତି । ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୬.୪୧% ହୋଇଛି ।
ସେହିଭଳି ବାଣିଜ୍ୟରେ ୨୪ ହଜାର ୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୯ ହଜାର ୫୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୭,୪୧୦, ଦ୍ୱିତୀୟ ଶ୍ରେଣୀରେ ୪, ୫୪୩ ଏବଂ ତୃତୀୟ ଶ୍ରେଣୀରେ ୭,୪୯୨ ଜଣ ପାସ୍ କରିଛନ୍ତି । ୧୦୨ ପିଲା ୯୦% ରୁ ଅଧିକ ମାର୍କ ରଖିଛନ୍ତି । ବିଜ୍ଞାନ ଭଳି ବାଣିଜ୍ୟରେ ମଧ୍ୟ ନୟାଗଡ଼ ଜିଲ୍ଲାର ପାସ୍ ହାର ସର୍ବାଧିକ ଅଛି । ବାଣିଜ୍ୟରେ ଜିଲ୍ଲାର ପାସ୍ ହାର ହେଉଛି ୯୩.୯% ।
ଆଜି ଦିନ ୧୧ଟାରେ ପରିଷଦର କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ପୁସ୍ତକ ଉନ୍ମୋଚିତ କରିଥିଲେ । ବିଭାଗୀୟ କମିସନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍, ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ପରୀକ୍ଷା ନିୟମନ୍ତ୍ରକ ଅଶୋକ କୁମାର ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।