ଭୁବନେଶ୍ୱର: ଓଡ଼ିଶାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭକୁ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି । ଆଜି ବିଳମ୍ବିତ ସଂଧ୍ୟାରେ ୧.୫ ଲକ୍ଷ ଡୋଜ୍ କୋଭାସ୍କିନ୍ ଟିକା ଭୁବନେଶ୍ୱରରେ ପହଞ୍ଚିଛି । ଭାରତ ବାଇଓଟେକ୍ କମ୍ପାନୀଠାରୁ ରାଜ୍ୟ ସରକାର ସିଧାସଳଖ ଏହି ଟିକା କିଣିଛନ୍ତି । ଆସନ୍ତା ୩ ତାରିଖରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ।
ଶନିବାର ଓ ରବିବାର ସଟଡାଉନ୍ ଘୋଷଣା ହୋଇଥିବାରୁ ଏହି ଦୁଇ ଦିନ ଟିକାକରଣ ବନ୍ଦ ରଖାଯାଇଛି । ତେବେ ଆସନ୍ତାକାଲି ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣର ଡ୍ରାଏ ରନ୍ ହେବ । ଟ୍ରାଏଲ୍ ବେସିସ୍ ରେ କିଛି ହିତାଧିକାରୀଙ୍କୁ ଟିକା ଦିଆଯିବ । ୩ ତାରିଖରୁ କେବଳ ବିଏମସି ଅଞ୍ଚଳରେ ଟିକାକରଣ ଚାଲିବ ।