ଭୁବନେଶ୍ୱର: ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜଜୁଙ୍କ ଉତ୍ତର ଅଜବ ପରିସ୍ଥିତି ସୃଷ୍ଟି କରିଛି । ଖୋଦ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତଥ୍ୟ ପ୍ରମାଣ ସହ ଏହାକୁ ଖଣ୍ଡନ କରି ଘଟଣାଟି ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଥିଲା ବେଳେ ବିଜେଡ଼ି ସାଂସଦମାନେ ତୀବ୍ର ପ୍ରତିକ୍ରିୟାବ୍ୟକ୍ତ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଫାଇଲ୍ ଆକାଶରେ ଉଡ଼ିଗଲା କି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ କଟାକ୍ଷ କରିଛନ୍ତି ।
ବାଚସ୍ପତି ଶ୍ରୀ ପାତ୍ର ଆଜି ତାଙ୍କ ପ୍ରତିକ୍ରିୟାରେ ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମର ସମସ୍ତ ବିବରଣୀ ରଖିଛନ୍ତି । ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ଦିଗରେ ନିରନ୍ତର ଉଦ୍ୟମ କରି ଆସିଥିବା ସେ ଦର୍ଶାଇଛନ୍ତି । ବିଧାନ ପରିଷଦ ଗଠନ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ୨୦୧୫ ଜାନୁଆରୀ ୭ ତାରିଖରେ ବିଧାୟକ ଡାକ୍ତର ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଏକ ୫ ଜଣିଆ କମିଟି ଗଠନ କରିଥିଲେ । ଜାନୁଆରୀ ୧୯ ତାରିଖରେ କମିଟି ତା’ର ପ୍ରଥମ ବୈଠକରେ ବିଭିନ୍ନ ରାଜ୍ୟଗସ୍ତର କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିଥିଲା ।
୨୦୧୫ ଫେବ୍ରୁଆରୀ ୨ ତାରିଖରେ କମିଟି କର୍ଣ୍ଣାଟକକୁ ପ୍ରଥମ ଗସ୍ତ କରିଥିଲା । ସେହିବର୍ଷ ମେ ୨୦ ତାରିଖରେ ମହାରାଷ୍ଟ୍ର ଗସ୍ତରେ ଯାଇଥିଲା । ୨୦୧୮ ଜୁଲାଇ ୪ ତାରିଖରେ ବିହାର ଏବଂ ଜୁଲାଇ ୧୬ ତାରିଖରେ ତେଲେଙ୍ଗାନା ଗସ୍ତ କରି ସେଠାକାର ବିଧାନ ପରିଷଦ ଗଠନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲା । ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା କମିଟି ।
ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ଓଡ଼ିଶା ବିଧାନସଭାରେ ଅନୁମୋଦନ ଲାଭ କରିଥିଲା । ସମ୍ବିଧାନର ଅନୁଚ୍ଛେଦ ୧୬୯(୧) ର ବ୍ୟବସ୍ଥା ଅନୁଯାୟୀ ସଂସଦର ଅନୁମୋଦନ ପାଇଁ ଏହି ପ୍ରସ୍ତାବନାକୁ କେନ୍ଦ୍ର ନିକଟକୁ ପଠାଗଲା । ଲୋକସଭା ଏବଂ ରାଜ୍ୟସଭା ସଚିବାଳୟ ସମେତ ୫ ଟି ମନ୍ତ୍ରଣାଳୟର ସଚିବଙ୍କ ପାଖକୁ ପ୍ରସ୍ତାବନା ପଠାଯାଇଛି ।
ବିଜେଡ଼ି ସାଂସଦମାନଙ୍କ କହିବା କଥା, ଏହି ପ୍ରସ୍ତାବନାକୁ କେନ୍ଦ୍ରକୁ ପଠାଇ ରାଜ୍ୟ ସରକାର ଚୁପ୍ ବସିନାହାନ୍ତି । ବରଂ ଏ ସଂକ୍ରାନ୍ତୀୟ ବିଲ୍ ତୁରନ୍ତ ଆଣିବା ପାଇଁ ଦାବି କରି ଆସୁଛନ୍ତି । ୨୦୧୯ରେ ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଓଡ଼ିଶା ବିଧାନ ପରିଷଦ ସଂକ୍ରାନ୍ତ ବିଲ୍ ଆଣିବା ପାଇଁ ବିଜେଡ଼ି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ଖାଲି ସେତିକି ନୁହେଁ, ବିଭିନ୍ନ ଅଧିବେଶନ ସମୟରେ ବିଜେଡ଼ି ଏହି ଦାବି ରଖି ଆସୁଛି । ଗତବର୍ଷ ବିଜେଡ଼ି ସଂସଦୀୟ ଦଳ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କଠାରୁ ସକରାତ୍ମକ ଉତ୍ତର ପାଇଥିଲେ ।
ମାତ୍ର ଏତେ ସବୁ ପରେ ବି ରାଜ୍ୟସଭାରେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉତ୍ତର ସମସ୍ତଙ୍କୁ ବିସ୍ମିତ କରିଛି । ପ୍ରଶ୍ନକର୍ତ୍ତା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିବେ ବୋଲି କହିଥିଲା ବେଳେ ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କ ବେପରୁଆ ଉତ୍ତରକୁ ନେଇ କ୍ଷୁବ୍ଧ ହୋଇଛନ୍ତି । ଏହା ପାର୍ଲିଆମେଣ୍ଟର ସ୍ୱାଧିକାର ଭାଙ୍ଗିଥିବା ସେ କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଚକିତ କରିଛି । ବିଧାନ ପରିଷଦ ସଂକ୍ରାନ୍ତୀୟ ସଂକଳ୍ପ ବିଧାନସଭାରେ ସର୍ବସମ୍ମତ ପାରିତ ହୋଇଥିଲା ବେଳେ ସେ ଫାଇଲ୍ କେନ୍ଦ୍ରକୁ ନ ଯାଇ ଆକାଶରେ କୁଆଡ଼େ ଉଡ଼ିଗଲା କି ବୋଲି କଟାକ୍ଷ କରିଛନ୍ତି ।
ସେପଟେ କିନ୍ତୁ ରାଜ୍ୟ ବିଜେପି ପାଇଁ ଏହା ପଞ୍ଚାୟତ ନିର୍ବାଚନୀ ସଞ୍ଜିବନୀ ଭାବେ କାମ କରିଥିବାରୁ ନେତାମାନେ ବେଶ୍ ଖୁସି ଅଛନ୍ତି । ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଢ଼େର୍ ପ୍ରଶଂସା କରିବା ପରେ ରାଜ୍ୟ ବିଜେପି ଉପରେ ଚଡ଼କ ପଡ଼ିଛି । ନବୀନ ପଟ୍ଟନାୟକ ଓ ବିଜେଡ଼ି ବିରୋଧରେ ଲୋକଙ୍କୁ ଭୋଟ ମାଗୁଥିବା ବିଜେପି ନେତାମାନେ ହତାଶ ହେବା ବେଳକୁ ଓଡିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ସେମାନଙ୍କ ମୁହଁରେ ସାମାନ୍ୟ ହସ ଆଣିଛି । ରାଜ୍ୟ ସରକାର ମିଛୁଆ ବୋଲି ସେମାନେ ଗଣମାଧ୍ୟମରେ ଆଜି ବିବୃତି ଦେଇଛନ୍ତି ।
ତେବେ ସେ ଯାହା ହେଉ, ଏବେ ଦେଖିବାର କଥା ପ୍ରକୃତରେ କିଏ ସତ କହୁଛନ୍ତି । ଓଡ଼ିଶା ସରକାର, ଓଡ଼ିଶା ବିଧାନସଭା, ଓଡ଼ିଶା ସାଂସଦ ଏବଂ ପ୍ରତ୍ୟକ୍ଷଦର୍ଶୀ ଓଡ଼ିଶାବାସୀ ନା କେନ୍ଦ୍ର ସରକାରଙ୍କ ପ୍ରତିନିଧି କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜଜୁ । ଓଡ଼ିଶା ବିଧାନସଭାର ବାସଚ୍ପତି ତାଙ୍କ ପକ୍ଷ ରଖି ସାରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜଜୁ ରାଜ୍ୟସଭାରେ ରଖିଥିବା ଉତ୍ତର ସତ ବୋଲି ହଲପ୍ କରି କହିବେ ନା ଏହା ଭୁଲ୍ ଥିଲା ବୋଲି କହିବେ ତାହାକୁ ଅପେକ୍ଷା କରାଯାଉଛି । ମିଛ ଯିଏ ବି କହୁଛନ୍ତି ତାଙ୍କ ପାଇଁ ଶାସ୍ତି କ’ଣ ତାହାର ବି ଫଇସଲା ହୋଇଯିବା ଦରକାର ।