ଭୁବନେଶ୍ୱର: ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ୧୪ ତାରିଖରୁ ସ୍କୁଲ ଖୋଲିଲେ ବି ୨୮ ତାରିଖରୁ ପିଲା କ୍ଲାସ୍ ରେ ବସି ପାଠ ପଢ଼ିବେ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସ୍କୁଲ ସଫେଇକରଣ ଏବଂ ପଞ୍ଚାୟତ ଭୋଟ ପରିପ୍ରେକ୍ଷୀରେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ଏଭଳି ପଦକ୍ଷେପ ନିଆଯାଇଛି ।
କୋଭିଡ୍ ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ଏଗୁଡ଼ିକର ସଫେଇ, ଆବଶ୍ୟକ ମରାମତି ଏବଂ ପୂର୍ବ ପରିବେଶ ଫେରାଇ ଆଣିବା ପାଇଁ ସମୟର ଆବଶ୍ୟକତା ଥିବା କୁହାଯାଇଛି । ଏଥିସହ ପଞ୍ଚାୟତ ଭୋଟ ପାଇଁ ସ୍କୁଲଗୁଡ଼ିକରେ ବୁଥ୍ ହେଉଥିବାରୁ ଶିକ୍ଷକମାନେ ନିୟୋଜିତ ହେବେ । ପୁଲିସ ଏବଂ ନିର୍ବାଚନ ଅଧିକାରୀମାନଙ୍କ ଗହଳି ଯୋଗୁଁ କୋଭିଡ୍ ସଂକ୍ରମଣର ଆଶଙ୍କା ମଧ୍ୟ ରହୁଛି । ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଛୋଟ ପିଲାଙ୍କ ଫିଜିକାଲ୍ କ୍ଲାସ୍ ୨୮ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।
୧୪ ତାରିଖରେ ସ୍କୁଲ ଖୋଲୁଥିବାରୁ ସମସ୍ତ ଶିକ୍ଷକ ଏବଂ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ବୋଲି କିନ୍ତୁ କୁହାଯାଇଛି । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପୂର୍ବଭଳି ପିଲାମାନଙ୍କର ଅନଲାଇନ୍ କ୍ଲାସ୍ ଚାଲିବ ।