ଭୁବନେଶ୍ୱର: ଦେବାଳିଆ ଘୋଷିତ ହେଲା ଓଡ଼ିଟେକ ବିଲ୍ଡର୍ସ। ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ୍ ଋଣ ସୁଝି ନପାରିବାରୁ ବିଲ୍ଡର କମ୍ପାନୀ ନାଁରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିବା ସହିତ ସର୍ବସାଧାରଣରେ ନିଲାମ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆ।
ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆ, ଭୁବନେଶ୍ୱର ସୁର୍ଯ୍ୟନଗର ଶାଖାରୁ ଋଣ ନେଇ ଭୁବନେଶ୍ୱରରେ ବିଭିନ୍ନ ଆପାର୍ଟମେଣ୍ଟ ପ୍ରକଳ୍ପ କରି ଫ୍ଲାଟ୍ ବିକ୍ରି କରୁଥିବା ଓଡ଼ିଟେକ ବିଲ୍ଡର୍ସ, ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ୍ ଋଣ ପୈଠ କରିନପାରିବାରୁ ଏବଂ ବିଭିନ୍ନ ସମୟରେ ବ୍ୟାଙ୍କ୍ ଦ୍ଵାରା ଜାରି କରାଯାଉଥିବା ନୋଟିସର କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ, ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆ ଓଡ଼ିଟେକ ବିଲ୍ଡର୍ସ ମାଲିକ ରଞ୍ଜନ ନନ୍ଦଙ୍କୁ ଦେବାଳିଆ ଘୋଷଣା କରିବା ସହିତ କମ୍ପାନୀ ନାଁରେ ଥିବା, ପିପିଲି ତହସିଲ ଅନ୍ତର୍ଗତ ନିର୍ମଳା ମଉଜା ଓ ସହଜପୁର ମଉଜା ଏବଂ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଡୁମୁଡୁମା ମଉଜାରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଆଇନ୍ ଅନୁଯାୟୀ ଜବତ କରି ସର୍ବସାଧାରଣରେ ଇ-ନିଲାମ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଫିସ୍ ଖୋଲି ଓଡ଼ିଟେକ ବିଲ୍ଡର୍ସ ଶ୍ରୀ ନନ୍ଦ ବିଭିନ୍ନ ସମୟରେ ଭୁବନେଶ୍ୱରରେ ବିଭିନ୍ନ ଆପାର୍ଟମେଣ୍ଟ ପ୍ରକଳ୍ପ ନାଁ’ରେ ଏକାଧିକ ଲୋକଙ୍କ ଠାରୁ ଟଙ୍କା ନେଇ ଚୁକ୍ତି ମୁତାବକ ଗ୍ରାହକମାନଙ୍କୁ ନିର୍ଦ୍ଧାରିତ ସମୟରେ ଫ୍ଲାଟ୍ ଘର ଦେଉ ନ ଥିବା ଅଭିଯୋଗ ହୋଇଥିଲା । ଫ୍ଲାଟ୍ ପାଇଁ ଅଗ୍ରୀମ ଟଙ୍କା ଦେଇଥିବା ଲୋକମାନେ ବାରମ୍ବାର ତାଙ୍କଠାରୁ ନିରାଶ ହୋଇ ଫେରୁଥିଲେ । ଓଲଟି ସେମାନଙ୍କୁ ଧମକଚମକ ମିଳୁଥିଲା । ଠକେଇର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗକ୍ରମେ ଇନଫୋସିଟି ଥାନା ପୁଲିସ ବିଲ୍ଡର୍ସ ରଞ୍ଜନ ନନ୍ଦଙ୍କୁ ଗତବର୍ଷ ଗିରଫ କରି କୋର୍ଟ ଚାଲାଣ କରିଥିଲା ।







