ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ କ୍ରସଭୋଟିଂ ମାମଲାରେ ୫ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ଚକ୍ରମଣି କହଁର, ସୌଭିକ ବିଶ୍ୱାଳ ଓ ସୁବାସିନୀ ଜେନାଙ୍କୁ ଓଡ଼ିଶା ହାଇକୋର୍ଟ ଆଜି ନୋଟିସ୍ ଜାରି କରିଛନ୍ତି । କାହିଁକି ସେମାନଙ୍କ ସଭ୍ୟପଦ ରଦ୍ଦ ନ ହେବ ସେ ନେଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ସେମାନଙ୍କୁ କୁହାଯାଇଛି । ଆସନ୍ତା ଜାନୁଆରୀ ୧୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।
ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୩ ଏବଂ ବିଜେଡିର ୮ ଜଣ ବିଧାୟକ କ୍ରସଭୋଟିଂ କରିଥିଲେ । ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଦୁଇ ଦଳ ପକ୍ଷରୁ ପୃଥକ୍ ଆବେଦନ କରାଯାଇଥିଲା ।
ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏପ୍ରିଲ୍ ୨୭ରେ ଆବେଦନ କରିଥିଲେ । ଦଳର ୮ ବିଧାୟକ ହ୍ୱିପ୍ ନ ମାନି ସ୍ୱେଚ୍ଛାକୃତ ଭାବେ ଦଳ ବିରୋଧରେ ଯାଇଥିବାରୁ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ ସେମାନଙ୍କର ସଭ୍ୟପଦ ରଦ୍ଦ କରିବାକୁ ଦାବି କରାଯାଇଥିଲା ।
ତେବେ ଆବେଦନରେ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ଜୁନ୍ ୨୨ରେ ବାଚସ୍ପତି ଏହାକୁ ଖାରଜ କରିଦେଇଥିଲେ । ବିଜେଡି ଏହାକୁ ଚାଲେଞ୍ଜ କରି ସେପ୍ଟେମ୍ବର ୧୩ରେ ହାଇକୋର୍ଟ ଯାଇଥିଲା । ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ୮ ଜଣ ବିଧାୟକଙ୍କ ବିରୋଧରେ ପୃଥକ୍ ପୃଥକ୍ ୮ଟି ରିଟ୍ ପିଟିସନ୍ ଦାଖଲ କରିଥିଲେ ।
ଜଷ୍ଟିସ୍ ଏମ.ଏସ ସାହୁଙ୍କ ଖଣ୍ଡପୀଠରେ ଆଜି ୫ଟି ଆବେଦନର ଶୁଣାଣି ହୋଇଥିଲା । ଅଭିଯୋଗର ମୂଳ ପ୍ରସଙ୍ଗକୁ ବିଚାର ନ କରି କେବଳ ପ୍ରକ୍ରିୟାଗତ ତ୍ରୁଟି ଆଧାରରେ ଆବେଦନ ଖାରଜ କରାଯାଇଥିବା ବିଜେଡିର ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରିବା ସହ ସଂପୃକ୍ତ ବିଧାୟକଙ୍କଠାରୁ ଜବାବ ତଲବ କରିଛନ୍ତି । ଆଉ ୩ ବିଧାୟକ ରମାକାନ୍ତ ଭୋଇ, ନବକିଶୋର ମଲ୍ଲିକ ଓ ଦେବୀରଞ୍ଜନ ତ୍ରିପାଠୀଙ୍କ ସଭ୍ୟପଦ ରଦ୍ଦ ଆବେଦନର ଶୁଣାଣି ହୋଇନାହିଁ ।
ପୂର୍ବରୁ ଏହି ମାମଲାରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ହାଇକୋର୍ଟ ନୋଟିସ୍ ଜାରି ହୋଇସାରିଛି । ଜବାବ ଦାଖଲ ପାଇଁ ସେ ଅଦାଲତଠାରୁ ଅଧିକ ସମୟ ନେଇଛନ୍ତି ।
ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ, ଏଜିଙ୍କ ମନ୍ତବ୍ୟକୁ ନିନ୍ଦା
୮ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କରିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ତଥା ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ।
ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିଜେଡି ପୂର୍ବରୁ ବାଚସ୍ପତିଙ୍କ ନିକଟରେ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ନିୟମ ଅନୁଯାୟୀ ଆବେଦନ କରିଥିଲା । କିନ୍ତୁ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ବାଚସ୍ପତି ଏହାକୁ ଗ୍ରହଣ ନ କରି ଖାମଖିଆଲ ଭାବରେ ରାଜନୈତିକ ଉଦ୍ଦେଶ୍ୟ ରଖି ଖାରଜ କରିଥିଲେ । ଏହାକୁ ନେଇ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ୧ ମାସ ତଳେ ହାଇକୋର୍ଟ ଏହାକୁ ଗ୍ରହଣ କରି ବାଚସ୍ପତିଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ହାଇକୋର୍ଟ ୫ ବିଧାୟକଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନ ହେବ, ସେନେଇ ନୋଟିସ୍ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଡଭୋକେଟ୍ ଜେନେରାଲ ଆଜି ଗଣମାଧ୍ୟମକୁ ଦେଇଥିବା ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ । ଯେଉଁ ବିଧାୟକ ମାନେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ, ତାଙ୍କ ସଭ୍ୟ ପଦ ରଦ୍ଦ ଉପରେ ମତାମତ ନ ରଖି ବିଜେଡି ବାଚସ୍ପତିଙ୍କ ପାଖରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ କରିଥିବା ଆବେଦନ ଉପରେ ଆଡଭୋକେଟ୍ ଜେନେରାଲ ମନ୍ତବ୍ୟ ରଖିବା ନିନ୍ଦନୀୟ ବୋଲି ସେ କହିଛନ୍ତି ।