ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୬ ତାରିଖ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହା ପ୍ରଯୁଜ୍ୟ । ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆଜି ପ୍ରେସବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି । ପରିସ୍ଥିତି ସ୍ୱାଭାବିକ ହେଲେ ଅଗଷ୍ଟ ୧୬ ରୁ ନବମ ଶ୍ରେଣୀ ଏବଂ ସେପ୍ଟେମ୍ବର ୧୫ ରୁ ଏକାଦଶ ଶ୍ରେଣୀ ଖୋଲିବାକୁ ଆପାତତଃ ନିଷ୍ପତ୍ତି ହୋଇଥିବା ମଧ୍ୟ ସେ ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ଜୁଲାଇ ୨୬ ତାରିଖରୁ ନବମ ଓ ଦ୍ୱାଦଶ କ୍ଲାସ୍ ଦିନ ୧୦ରୁ ଅପରାହ୍ନ ୧.୩୦ ଯାଏଁ ଚାଲିବ । ଏଥିରେ ଖେଳଛୁଟି କି ଖାଇବା ଛୁଟି ରହିବ ନାହିଁ । ପିଲାମାନେ କ୍ଲାସ୍ ସାରି ଘରେ ଯାଇ ଖାଇବେ । ସ୍କୁଲକୁ ଆସିବା ନ ଆସିବା ପିଲାମାନଙ୍କ ପାଇଁ ଇଚ୍ଛାଧୀନ ରଖାଯାଇଛି । ଅଭିଭାବକଙ୍କ ସହ ଆଲୋଚନା କରି ସେମାନେ ନିଷ୍ପତ୍ତି ନେବେ । ଅନ୍ୟପକ୍ଷରେ ପିଲାମାନଙ୍କ ସ୍ୱାସ୍ଥ୍ୟଗତ ନିରାପତ୍ତା ଦୃଷ୍ଟିରୁ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ନେବେ । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ସ୍ଥିତି ଦେଖି ସେମାନେ ନିଷ୍ପତ୍ତି ନେବେ ।
ଯେଉଁ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ସେଣ୍ଟର ହୋଇଛି ସେଠାରେ ପରୀକ୍ଷା ସରିଲା ପରେ କ୍ଲାସ୍ ଆରମ୍ଭ ହେବ । ତେବେ ଅନଲାଇନ୍ କ୍ଲାସ୍ ଜାରି ରହିବ । ସିବିଏସଇ ଢ଼ାଞ୍ଚାରେ ନବମ ଓ ଦଶମ ଛାତ୍ରଛାତ୍ରୀମାନଙ୍କର ଆସେସମେଣ୍ଟ ପରୀକ୍ଷା ହେବ । ଏହାପରେ ଫାଇନାଲ୍ ପରୀକ୍ଷା ହେବ ।
ସ୍କୁଲ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଏସଓପି ବା ମାର୍ଗଦର୍ଶିକା ଜାରି କରାଯିବ । ସ୍କୁଲ ଖୋଲିବାର ସପ୍ତାହ ପୂର୍ବରୁ ସ୍କୁଲକୁ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନ କରାଯିବ । ପିଲାମାନଙ୍କ ପାଇଁ ଶ୍ରେଣୀରେ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଥର୍ମାଲ୍ ସ୍କ୍ରିନିଂ, ହାତ ସାନିଟାଇଜର୍ ସମେତ କୋଭିଡ ଗାଇଡଲାଇନ ଅନୁପାଳନକୁ ଗୁରୁତ୍ୱ ଦିଆଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତି ।
ଅଗଷ୍ଟ ୨୨ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ: ଅଫଲାଇନ୍ ପରୀକ୍ଷା ଦେବାକୁ ଥିବା ମାଟ୍ରିକ୍ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଅଗଷ୍ଟ ୨୨ ସୁଦ୍ଧା ପ୍ରକାଶ କରାଯିବ । ପରୀକ୍ଷା ଦେବା ପାଇଁ ୧୫,୧୧୫ ପିଲା ଫର୍ମ ପୂରଣ କରିଛନ୍ତି । ସେଥିରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୧୩୧୫ ଛାତ୍ରଛାତ୍ରୀ । ପରୀକ୍ଷା ପରେ ଅଗଷ୍ଟ ୧୦ ରୁ ୧୫ ତାରିଖ ଖାତା ମୂଲ୍ୟାୟନ କରାଯାଇ ୨୨ ସୁଦ୍ଧା ରେଜଲ୍ଟ ବାହାର କରାଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତି ।