ଭୁୁବନେଶ୍ୱର: କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି), ଭୁବନେଶ୍ୱରକୁ ଏକକ ବିଶ୍ୱବିଦ୍ୟାଳୟସ୍ତରକୁ ଉନ୍ନୀତ କରି ଓଡ଼ିଶା ଟେକ୍ନୋଲୋଜି ଏବଂ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ(ଓୟୁଟିଆର) ପ୍ରତିଷ୍ଠା ହେବ । ଏଥିପାଇଁ ନୂତନ ଆଇନ ପ୍ରଣୟନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।
ପ୍ରସ୍ତାବିତ ଓୟୁଟିଆର ବିଶ୍ୱବିଦ୍ୟାଳୟ ସ୍ନାତକ, ସ୍ନାତକୋତ୍ତର ଶିକ୍ଷା ତଥା ପିଏଚଡି ଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେବ । ଇଞ୍ଜିନିୟରିଂ, ସାଇନ୍ସ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ତଥା ଅନୁସନ୍ଧାନ, ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଏହାର ପ୍ରୟୋଗ, ତାଲିମ, ଅନୁସନ୍ଧାନ ବିସ୍ତାର କରିବାରେ ବିଶ୍ୱବିଦ୍ୟାଳୟ ସହାୟକ ହେବ ।
ଖାଲି ସେତିକି ନୁହେଁ, ଏହା ଶୈକ୍ଷିକ, ଅନୁସନ୍ଧାନ ସମ୍ପ୍ରଦାୟ ଏବଂ ଶିଳ୍ପମାନଙ୍କ ମଧ୍ୟରେ ସହଯୋଗ ଓ ପାରସ୍ପରିକ ସମ୍ପର୍କ ବୃଦ୍ଧି କରିବାରେ ଏକ ଉକ୍ରର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଯୁବବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ପାଇଁ ସହାୟତା ପ୍ରଦାନ କରିବ ବୋଲି କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ସମୁଦାୟ ୧୫ ଟି ପ୍ରସ୍ତାବକୁ ଅନୁମାଦନ ମିଳିଛି । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ ।
- ମୌଳିକ ସୂଚନା ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମି ଯୋଗାଇବା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ(ଓସ୍ୱାନ) ପ୍ରକଳ୍ପର ଅପଗ୍ରେଡେସନ୍ ହେବ । ଏହାଦ୍ୱାରା ରାଜ୍ୟ ମୁଖ୍ୟାଳୟ, ୩୦ ଜିଲ୍ଲା ମୁଖ୍ୟାଳୟ ଏବଂ ୩୧୪ ବ୍ଲକ୍ କାର୍ଯ୍ୟାଳୟ ରେ ବ୍ୟାଣ୍ଡୱିଡଥ୍ ବୃଦ୍ଧି, ଲୋଡ୍ ବଣ୍ଟନ ଏବଂ ହାଇସ୍ପିଡ୍ ସଂଯୋଗ ଉପଲବ୍ଧ ହୋଇପାରିବ । ଏହି ଅପଗ୍ରେଡେସନ୍ ଏବଂ ୫ ବର୍ଷ ପାଇଁ ଏହାର ଅପରେସନ୍ ଓ ରକ୍ଷଣାବେକ୍ଷଣରେ ଆନୁମାନିକ ୩୩୨.୦୯ କୋଟି ଖର୍ଚ୍ଚ ହେବ ।
- ସୁନ୍ଦରଗଡ଼ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ୬/୨୦୬ କିମି ଠାରୁ ୨୮/୫୬୪ କିମି ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ ରାସ୍ତାରେ ପରିଣତ କରାଯିବ । ଏହାଦ୍ୱାରା ଛତିଶଗଡ଼ର ରାଇଗଡ଼ ଓ ସୁନ୍ଦରଗଡ଼ ସହର ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗର ଉନ୍ନତି ହୋଇପାରିବ ଏବଂ ଏହା ବସୁନ୍ଧରା କୋଇଲା ଖଣି ସହିତ ଯୋଗାଯୋଗ ସ୍ଥାପନ କରିବ । ଦୁଇବର୍ଷ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
- ସଂରକ୍ଷିତ ଖଣିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥ(ଖଣ୍ଡାଲାଇଟ) ନିମନ୍ତେ ରୟାଲିଟି ଛାଡ଼ କରିବାକୁ କ୍ୟାବିନେଟ୍ କମିଟି ନିଷ୍ପତ୍ତି ନେଇଛି । ଅବଢ଼ା ଯୋଜନା ଅନ୍ତର୍ଗତ ପ୍ରକଳ୍ପ ତଥା ପୁରୀ ଭଳି ସହରକୁ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବାରେ ଏହା ସହାୟକ ହେବ ।
- ଯୋଡା ଏବଂ ଚମ୍ପୁଆ ସହରବାସୀଙ୍କ ପାଇଁ “ଡ୍ରିଙ୍କ ଫ୍ରମ ଟ୍ୟାପ୍ କ୍ୱାଲିଟି’ ର ଜଳଯୋଗାଣ ବ୍ୟବସ୍ଥା ହେବ । ଏହାଦ୍ୱାରା ଦୁଇ ସହରର ସମସ୍ତ ଘରକୁ ନିରବଚ୍ଛିନ୍ନ ଜଳଯୋଗାଣ କରାଯିବ । ଏହି କାର୍ଯ୍ୟର ମୂଲ୍ୟ ୧୦୩.୮୫୫ କୋଟି(ଜିଏସଟିକୁ ଛାଡ଼ି) ଆକଳନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧ ରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଅଗଷ୍ଟ ୩୧ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
- ଜେଜେଏମ ଯୋଜନାରେ କଟକ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ହେବ । ଜିଲ୍ଲାର ୪ଟି ବ୍ଲକ୍ ଯଥା ଆଠଗଡ଼, ତିଗିରିଆ, ବାଙ୍କୀ ଏବଂ ଟାଙ୍ଗୀ ଚୌଦ୍ୱାର ଅଧୀନରେ ଥିବା ୫୬ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୬୨ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨,୬୧,୯୭୮ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଦୁଇବର୍ଷ ମଧ୍ୟରେ ସରିବାକୁ ଥିବା ଏହି ପ୍ରକଳ୍ପରେ ୨୭୫ କୋଟି ଖର୍ଚ୍ଚ ହେବ ।
- ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର OMBADC & DMF ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କରିବେ । ଉକ୍ତ ପ୍ରକଳ୍ପରେ ଜିଲ୍ଲାର ୬ଟି ବ୍ଲକ୍ ଅଧୀନରେ ଥିବା ୮୪ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୨୧ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩,୭୮,୭୯୦ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଦୁଇବର୍ଷ ମଧ୍ୟରେ ସରିବାକୁ ଥିବା ଉକ୍ତ ପ୍ରକଳ୍ପରେ ୭୮୭ କୋଟି ଟଙ୍କା ଖର୍ଚ୍ଚ ହେବ ।
- OMBADC ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଜିଲ୍ଲାର ୪ ଟି ବ୍ଲକ୍ ଅଧୀନରେ ଥିବା ୪୯ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୯୫ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨,୫୯, ୬୧୭ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ୨ ବର୍ଷର ସମୟସମୀମା ମଧ୍ୟରେ ସରିବାକୁ ଥିବା ଏହି ପ୍ରକଳ୍ପରେ ୩୮୯ କୋଟି ଖର୍ଚ୍ଚ ହେବ ।
- ଓଡ଼ିଶା ପଞ୍ଚାୟତ ନିର୍ବାହୀ ଅଧିକାରୀ(ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ) ନିୟମାବଳୀ ୨୦୨୧ ପ୍ରଣୟନ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ଏହି ନୂତନ ନିୟମାବଳୀରେ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ଓଡ଼ିଶା ସବଅର୍ଡିିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଜରିଆରେ ପୂରଣ ହେବ । ଗ୍ରାମ ରୋଜଗାର ସେବକ ପଦବୀ ନିମନ୍ତେ ପ୍ରାର୍ଥୀଙ୍କ ବୟସ ୪୫ ବର୍ଷ ବୟସ ପର୍ଯ୍ୟନ୍ତ କୋହଳ କରାଯାଇଛି ।
- ଓଡ଼ିଶା ବେସାମରିକ ସେବା(ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାଳବୀ, ୧୯୯୨ର ସଂଶୋଧନ ।
- ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର(ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ ପ୍ରତିଷ୍ଠାନ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ସାଧାରଣ ସମ୍ବର୍ଗ(କମନ୍ କ୍ୟାଡର) ନିୟମାବଳୀ, ୨୦୧୯ ର ସଂଶୋଧନ ।
- ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ଓ ଅର୍ଥନୀତି ସେବା ନିୟମ, ୧୯୯୪ ସଂଶୋଧନ ପ୍ରସ୍ତାବ ।
- ଓଡ଼ିଶା କାରାଗାର ଫାର୍ମାସିଷ୍ଟ ସେବା(ଫାର୍ମାସିଷ୍ଟ ନିଯୁକ୍ତି ପଦ୍ଧତି ଏବଂ ସେବାସର୍ତ୍ତ) ନିୟମାବଳୀ, ୨୦୨୧ ପ୍ରଣୟନ ।
- ଓଡ଼ିଶା ସରକାରୀ ଜମି ବନେ୍ଦାବସ୍ତ ଆଇନ, ୧୯୬୨ ସଂଶୋଧନ ପ୍ରସ୍ତାବ ।
- ଷ୍ଟାମ୍ପ ଆଇନରେ ସଂଶୋଧନ ।