ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ଚଳିତବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଆଜି ପ୍ରକାଶ ପାଇଛି । ମୋଟ ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ଜଣ ରାଙ୍କ୍ ପାଇଛନ୍ତି । ଏମାନେ ୨୩ ଟି ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ।
ସୌରଭ କୁମାର ପତି(ବି.ଫାର୍ମ), ରଶ୍ମୀରଂଜନ ପାଣିଗ୍ରାହୀ(ଏମ ଫାର୍ମା), ସତ୍ୟଜିତ୍ ସାହୁ(ଏମବିଏ), ଅପୂର୍ବ ନାୟକ(ଏମସିଏ), ସୁବାସ ପୃଷ୍ଟି(ସିଭିଲ୍ ଇଂଜିନିୟରିଂ), ସତ୍ୟଜିତ୍ ମହାନ୍ତି(ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ), ରାହୁଲ ନାୟକ (ବାୟୋଟେକ୍ନୋଲୋଜି), ବ୍ୟୋମକେଶ କାମିଲା(ପ୍ଲାଷ୍ଟିକ୍ ଇଂଜିନିୟରିଂ), ସୁମିତ୍ ପରିଡ଼ା(ମେକାନିକାଲ୍ ଇଂଜିନିୟରିଂ),ଅଙ୍କିତ ସାମଲ(ଟେକ୍ସଟାଇଲ୍ ଇଂଜିନିୟରିଂ) ଓ ରେ ସଂଗ୍ରାମ ପାତ୍ର(କେମିକାଲ୍ ଇଂଜିନିୟରିଂ) ଟପ୍ପର ହୋଇଛନ୍ତି ।
ଯେଉଁମାନେ ଉପଯୁକ୍ତ ରାଙ୍କ ପାଇ ନ ଥିବେ, ସେମାନେ ଚାହିଁଲେ ସ୍ପେଶାଲ୍ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ପୁଣି ଆବେଦନ କରିପାରିବେ ବୋଲି କୁହାଯାଇଛି । ଆସନ୍ତା ୨୬ ରୁ ୩୦ ଯାଏ ସ୍ପେଶାଲ୍ ଓଜେଇଇ ପରୀକ୍ଷା ହେବ ।
ସୂଚନାଥାଉକି, ଗତ ମେ’ ୮ ରୁ ୧୫ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୪୪ଟି କେନ୍ଦ୍ର ଓ ରାଜ୍ୟ ବାହାରର ୩ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରତିରଂଜନ ଘଡ଼େଇ ଆଜି ରେଜଲ୍ଟ ପୁସ୍ତକ ଉନ୍ମୋଚନ କରିଥିଲେ । ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ଥିଲେ ।