ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ବରମୁଣ୍ଡା ବସ୍ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ପହଞ୍ଚି ଥିଲେ । ନିର୍ମାଣସ୍ଥଳ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖି ଆଲୋଚନା କରିଥିଲେ । ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି । ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍ କାମ ସରିବ ବୋଲି ଜଣାଯାଇଛି । ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ବରମୁଣ୍ଡା ବସ୍ ଟର୍ମିନାଲ ହେଉଛି ରାଜଧାନୀ ଭୁବନେଶ୍ୱରରେ ଓଡିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍ଜିଟ୍ ସିଷ୍ଟମ । ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଦୈନିକ ୨ ହଜାର ବସ୍ ଚଳାଚଳ କରିପାରିବ। ୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଥିବା ବେଳେ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି । ଏଥିରେ ଫୁଡକୋର୍ଟ, Excavator, Elevator, ବହୁତଳୀୟ କାର୍ ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ Pick-Up ଓ Drop-Off ବ୍ୟବସ୍ଥା ରହିବ । ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ ।








