ଭୁବନେଶ୍ୱର: ଚୀନ୍ ରେ ଆତଙ୍କ ସୃଷ୍ଟି କରିଥିବା ଓମିକ୍ରନ୍ ର ସବ ଭାରିଏଣ୍ଟ BF.7 ଓଡ଼ିଶାରେ ଚିହ୍ନଟ ହୋଇଛି । ଭାରତରେ ଆକ୍ରାନ୍ତ ୩ ଜଣଙ୍କ ମଧ୍ୟରୁ ଓଡ଼ିଶାର ଜଣେ ଅଛନ୍ତି । ଗତ ଅକ୍ଟୋବର ମାସରେ ତାଙ୍କୁ ଚିହ୍ନଟ କରାଯାଇଥିଲା । ଆଉ ଦୁଇଜଣ ଗୁଜୁରାଟର । ସେମାନେ ଜୁଲାଇରୁ ନଭେମ୍ବର ଭିତରେ ଚିହ୍ନଟ ହୋଇଥିଲେ । ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଘଟଣା ସାମନାକୁ ଆସିଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ତଥ୍ୟକୁ ଗୋପନ ରଖିଥିଲା । ଗଣମାଧ୍ୟମରେ ଚର୍ଚ୍ଚା ହେଲା ପରେ ଯାଇ ସଂପୃକ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା । ସେପ୍ଟେମ୍ବର ୩୦ ରେ ତାଙ୍କର ସାମ୍ପଲ ଟେଷ୍ଟ କରାଯାଇଥିଲା । ଟେଷ୍ଟିଂ ସମୟରେ ମହିଳାଙ୍କଠାରେ କୌଣସି ଲକ୍ଷଣ ନ ଥିଲା । ଆମେରିକା ଯିବାକୁ ଥିବାରୁ ଟେଷ୍ଟ ହୋଇଥିଲା । ପରେ ତାଙ୍କର ଜିନମ୍ ସିକ୍ୟୁଏନ୍ସିଂ ହୋଇଥିଲା । ଜିନମ୍ ସିକ୍ୟୁଏନ୍ସିଂରୁ BF.7 ଭାରିଏଣ୍ଟ ଚିହ୍ନଟ ହୋଇଥିଲା । ୩ ମାସ ମଧ୍ୟରେ ଆଉ କୌଣସି BF.7 ଭାରିଏଣ୍ଟ ଚିହ୍ନଟ ହୋଇନି ବୋଲି କୁହାଯାଇଛି ।
କୋଭିଡ୍ ର ଏହି ଭାରିଏଣ୍ଟକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଭାରିଏଣ୍ଟ ଅଫ୍ କନସର୍ଣ୍ଣ ଘୋଷଣା କରିନାହାନ୍ତି । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ତେବେ ରାଜ୍ୟରେ ସର୍ଭେଲାନ୍ସ ବଢ଼ାଯାଇଥିବା ସେ ସୂଚନା ଦେଇଛନ୍ତି ।
ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ । କରୋନାର ଭୟାବହତା ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ସମସ୍ତେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଗହଳିରେ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଆଜିଠାରୁ ସବୁ ବିମାନବନ୍ଦରରେ ସାମ୍ପଲ୍ ଟେଷ୍ଟିଂ ଆରମ୍ଭ ହୋଇଛି ।