ଭୁବନେଶ୍ୱର: କଂଗ୍ରେସର ଦୁଇ ବିଧାୟକ ସୁରେଶ ରାଉତରାୟ ଏବଂ ମହମ୍ମଦ ମୋକିମ୍ ଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ ବିକ୍ରୀ ହୋଇଗଲା ବୋଲି ସେମାନେ ଗଣମାଧ୍ୟମରେ ବିବୃତି ଦେଇଥିବାରୁ ତାହା ଦଳର ଶୃଙ୍ଖଳା ଭଙ୍ଗ କରିଛି ବୋଲି ପିସିସି ନେତୃତ୍ୱ ଅନୁଭବ କରିଛନ୍ତି । ଗଣମାଧ୍ୟମରେ ଏଭଳି ବୟାନ କେଉଁ ତଥ୍ୟ ଆଧାରରେ ଦେଇଛନ୍ତି ଦୁଇ ବିଧାୟକଙ୍କୁ ତାହାର ସ୍ପଷ୍ଟୀକରଣ ମଗାଯାଇଛି । ୭ଦିନ ଭିତରେ ଜବାବ ଦେବାକୁ କୁହାଯାଇଛି ।
ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କ ନୋଟିସ୍ ର ଜବାବ ଦେବା ପୂର୍ବରୁ ଗଣମାଧ୍ୟମ ଆଗରେ ଦୁଇ ବିଧାୟକ ସେମାନଙ୍କ ସ୍ପଷ୍ଟୀକରଣ ରଖିସାରିଲେଣି । ସୁର ରାଉତରାୟ କହିଛନ୍ତି, କଂଗ୍ରେସର କ୍ଷତି କଲା ଭଳି କିଛି କହିନାହିଁ । ୨୮ ହଜାର କଂଗ୍ରେସ ଭୋଟ କୁଆଡ଼େ ଗଲା ବୋଲି କେବଳ ପ୍ରଶ୍ନ କରିଥିଲି । ଏହା କ’ଣ ଭୁଲ? ମୁଁ କଂଗ୍ରେସର ସଚ୍ଚା କର୍ମୀ । ଦଳକୁ କେବେ କ୍ଷତି କରିବି ନାହିଁ । ସୋ କଜ୍ ନୋଟିସ୍ ର ଜବାବ ଦେବି ।
ମହମ୍ମଦ ମୋକିମ୍ ଏହି କାରଣ ଦର୍ଶାଅ ନୋଟିସ୍ କୁ ନେଇ ନେତୃତ୍ୱକୁ କଟାକ୍ଷ କରିଛନ୍ତି । ମୁଁ ଅପ୍ରିୟ ସତ କଥା କହିଛି । କଂଗ୍ରେସର ଦୁର୍ଦ୍ଦିନ ସମୟରେ ଆମକୁ ଲୋକଙ୍କ ସହ ଯୋଡିବା ପାଇଁ ନ ଦେଇ ଛାଡ଼ିବା ପାଇଁ କୁହାଯାଉଛି । ମୁଁ ଜବାବ ଦେବି ।
ସୂଚନାଥାଉକି, କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମ୍ ଙ୍କୁ ଗତ ଜୁଲାଇ ୨୨ ତାରିଖରେ ପିସିସି ଏକ କାରଣ ଦର୍ଶାଅ ନୋଟିସ୍ ଦେଇଥିଲା । କାରଣ ଥିଲା ଯେ ରାଷ୍ଟ୍ରପତି ନିର୍ବାଚନରେ ସେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ କରିଥିଲେ ।
ମାତ୍ର ବିଧାୟକ ମୋକିମ୍ ଏହି ନୋଟିସ୍ ର କ’ଣ ଜବାବ ଦେଲେ ତାହା କେହି ଜାଣିନାହାନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ତାଙ୍କ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲଙ୍କ ମୁହଁରୁ କିଛି ଶୁଣିବାକୁ ମିଳିଲାନି । ଚୁପ୍ ହୋଇଗଲେ । କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ।
ଆଉ ଏବେ ପୁଣି ଏକ ନୋଟିସ୍ । ଏହି ସୋ କଜ୍ ନୋଟିସ୍ ଏକ ଫାର୍ସ ବୋଲି ଖୋଦ୍ ଦଳୀୟ ମହଲରେ କଟାକ୍ଷ ହେଉଛି । ଯଦି ଶୃଙ୍ଖଳାକୁ ଏତେ ଗୁରୁତ୍ୱ ପୂର୍ବ ନୋଟିସ୍ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲ ତାହା ଆଗ ଜଣାଅ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବିଧାୟକ ମହମ୍ମଦ ମୋକିମ୍ ଙ୍କୁ କଂଗ୍ରେସର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ବିଧାୟକ ଭାବେ କଂଗ୍ରେସ ଖାତାରେ ତାଙ୍କ ନାଁ ଗଡୁଥିଲେ ମଧ୍ୟ ଦଳକୁ ସେ ଏବଂ ଦଳ ତାଙ୍କୁ ପର କରିସାରିଲାଣି । ନିକଟରେ କଟକରେ ଅନୁଷ୍ଠିତ ପଦଯାତ୍ରାରେ ମଧ୍ୟ ବିଧାୟକ ଲୋଡ଼ା ହେଲେନି । ପିସିସି ସଭାପତି- ବିଧାୟକଙ୍କ ମଧ୍ୟରେ ଦୂରତା ବଢ଼ି ଚାଲିଥିଲେ ମଧ୍ୟ ଶୃଙ୍ଖଳାର ଛାଟ ବଜାଇବାକୁ ନେତୃତ୍ୱ ସାହାସ କରିପାରୁନି ।