ଭୁୁବନେଶ୍ୱର: ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ ର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଆଜି ବନ୍ଧା ହୋଇଛନ୍ତି । ଭିଜିଲାନସ୍ ବିଭାଗ ପକ୍ଷରୁ ଗତକାଲି ସକାଳୁ ତାଙ୍କ ଘର ଏବଂ ଅନ୍ୟାନ୍ୟ ପ୍ରାୟ ୧୦ ଜାଗାରେ ଚାଲିଥିବା ଚଢ଼ଉ ଆଜି ସକାଳେ ସରିବା ପରେ ସମ୍ପତ୍ତି ଆକଳନ ହୋଇଥିଲା । ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କା ବୋଲି ହିସାବ କରାଯାଇଛି । ଏହା ତାଙ୍କ ଦରମାର ୧୦୨୧% ଅଧିକ । ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଏତେ ପରିମାଣ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ଭିଜିଲାନସ୍ ଇତିହାସରେ ଏକ ରେକର୍ଡ ବୋଲି ଜଣାପଡ଼ିଛି ।
ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଶ୍ରୀ ସାମଲ ଏବଂ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ହୋଇଛି । ତେବେ କେବଳ ଶ୍ରୀ ସାମଲ ଗିରଫ ହୋଇଛନ୍ତି ।
ଆଇନ ଯନ୍ତାରୁ ଖସିବା ପାଇଁ ଚତୁର ଶ୍ରୀ ସାମଲ ନିଜ ନାଁରେ କମ ଏବଂ ପତ୍ନୀ ଓ ପୁଅ ନାଁରେ ଅଧିକ ସମ୍ପତ୍ତି ରଖିଛନ୍ତି । ସମୁଦାୟ ୭ ଟି କୋଠା ଏବଂ ୨୫ ପ୍ଲଟ୍ ପକେଇଛନ୍ତି । ଏହି ୨୫ ପ୍ଲଟ୍ ର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ବୋଲି କାଗଜପତ୍ର ଦର୍ଶାଉଥିବା ବେଳେ ପ୍ରକୃତ ମୂଲ୍ୟ ଢ଼େର୍ ଅଧିକ ହେବ । ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ପତ୍ନୀଙ୍କ ନାଁରେ ଥିବା କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ବୋଲି ନିଜେ ସାମଲ ଏବଂ ପତ୍ନୀ ସ୍ୱୀକାରୋକ୍ତି ଦେଇଛନ୍ତି । ତାଙ୍କର ଅନ୍ୟ କୋଠାଗୁଡ଼ିକର ମୂଲ୍ୟ ଆକଳନ ପାଇଁ ଭିଜିଲାନସ୍ ବୈଷୟିକ ଟିମ୍ ଝାଳନାଳ ହୋଇଯାଇଛନ୍ତି ।








