ଭୁୁବନେଶ୍ୱର: ଅନୁଦାନପ୍ରାପ୍ତ କଲେଜରେ ୯୦୮ ଅଧ୍ୟାପକ/ ଅଧ୍ୟାପିକା ନିଯୁକ୍ତି ପାଇଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ଯୋଗେ ଯୋଗଦେଇ ସେମାନଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି । ଆଜି ୬୩୯ ଅଧ୍ୟାପକ ଚାକିରିରେ ଯୋଗଦେଇଥିଲା ବେଳେ ଅବଶିଷ୍ଟ ଅଧ୍ୟାପକମାନେ ଖୁବ୍ ଶୀଘ୍ର ଯୋଗଦେବେ ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମସ୍ୟା ସମାଧାନ ମନୋଭାବର ବିକାଶ ପାଇଁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ୟାକୁ ସମାଧାନ କରି ଆଗକୁ ବଢ଼ିବା ଏକ ସମାଜର ବୈଶିଷ୍ଟ । ସୁତରାଂ ଯୁବବର୍ଗଙ୍କ ମନରେ ଏହି ମନୋଭାବର ବିକାଶ ଅପରିହାର୍ଯ୍ୟ । ଆମ ସମସ୍ୟାର ସମାଧାନ ଏବଂ ଜୀବନର ରୂପାନ୍ତର ପାଇଁ ଜ୍ଞାନର ଆବଶ୍ୟକତା ରହିଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଥିଲେ, ଉଚ୍ଚଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି । ୨୦୧୬ ମସିହାରୁ ୩୭୬୮ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ୨୩୨୦ ଅଧ୍ୟାପକ ନିଯୁକ୍ତି ହୋଇସାରିଲେଣି । ସେହିଭଳି ବିଭିନ୍ନ ସରକାରୀ କଲେଜରେ ୯୯୧ ଅଧ୍ୟାପକଙ୍କୁ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି ।
ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ଏକ ହଜାରରୁ ଉଦ୍ଧ୍ୱର୍ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ।
୫-ଟି କାର୍ଯ୍ୟକ୍ରମ ଆଧାରରେ କଲେଜମାନଙ୍କରେ “ସ୍ମାର୍ଟ କ୍ଲାସରୁମ୍’ ପ୍ରତିଷ୍ଠା କରାଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ନବନିଯୁକ୍ତ ତିନି ଅଧ୍ୟାପକଙ୍କ ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ରାଜ୍ୟ ସିଲେକ୍ସନ୍ ବୋର୍ଡର ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କହିଥିଲେ, ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ଏହାକୁ କଡାକଡି ପାଳନ କରାଯାଉଛି ବୋଲି କହିଥିଲେ ।
ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଥିଲେ, ଉଚ୍ଚଶିକ୍ଷା ବିଭାଗରେ ଖାଲି ପଦବୀ ପୂରଣ ପ୍ରକ୍ରିୟା ଜୋରଦାର ହୋଇଛି । ୫-ଟି ନୀତି ଆଧାରରେ ଏହି ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ପୂରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅନୁଷ୍ଠାନ ସହ ଯୋଡ଼ିବା ଲକ୍ଷ୍ୟରେ ମୋ କଲେଜ କାର୍ଯ୍ୟକ୍ରମ ବ୍ୟାପକ ହୋଇଥିବା ସେ ସୂଚନା ଦେଇଥିଲେ ।
ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।