ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ଭୋଟଗଣତି ଆସନ୍ତକାଲି ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ୨୩ ରାଉଣ୍ଡ ଗଣତି ହେବ । ଅପରାହ୍ନ ୨ଟା ସୁଦ୍ଧା ଫଳାଫଳ ବାହାରିଯିବ ବୋଲି ଆଶା କରାଯାଉଛି ।
ମୁଖ୍ୟ ନିର୍ବାଚନ ଅଧିକାରୀ ଏସ କେ ଲୋହାନୀଙ୍କ ସୂଚନା ଅନୁଯାୟୀ, ଆରଓ ଟେବୁଲରେ ସକାଳ ୮ଟାରୁ ପ୍ରଥମେ ୨୯୬ ପୋଷ୍ଟାଲ୍ ବାଲାଟ୍ ର ଗଣତି ହେବ । ସାଢ଼େ ୮ଟାରୁ ଇଭିଏମ୍ ରୁ ଭୋଟ ଗଣତି ହେବ । ୩୧୯ ବୁଥ୍ ର ଭୋଟଗଣତି ୧୪ ଟି ଟେବୁଲରେ କରାଯିବ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ ମାଇକ୍ରୋ ଅବଜରଭର ରହିବେ । ବୁଥ୍ ସଂଖ୍ୟା ଏବଂ ପ୍ରାର୍ଥୀ ସଂଖ୍ୟା ବେଶୀ ଥିବାରୁ ୨୩ ରାଉଣ୍ଡ ଗଣତି ହେବ । ସମସ୍ତ ବୁଥ୍ ଗଣତି ସରିଲେ ୫ ଟି ବୁଥ୍ ର ଭିଭିପାଟ୍ ମ୍ୟାଚ୍ କରାଯିବ ।
ଉପନିର୍ବାଚନରେ ବିଜେଡି ଜିତିବ ବୋଲି ପୂର୍ଣ୍ଣ ବିଶ୍ୱାସ ରଖିଛି । ଉପନିର୍ବାଚନ ପରିଚାଳନାରେ ସାମିଲ ଥିବା ଦଳୀୟ ନେତାମାନେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜୟସୂଚକ ଇସାରା ଦେଇଛନ୍ତି । ବିଜେପି ମଧ୍ୟ ବିଜୟ ନେଇ ଆଶା ହରାଇ ନାହିଁ । ଅଳ୍ପ ବ୍ୟବଧାନରେ ହେଉ ପଛେ ନିଶ୍ଚୟ ଜିତିବୁ ବୋଲି ଦଳୀୟ ମହଲ ବିଶ୍ୱାସ ରଖିଛନ୍ତି । ତେବେ କଂଗ୍ରେସ କିନ୍ତୁ ଗଣତି ପୂର୍ବରୁ ହାତ ଟେକିଦେଇଛି । ନିଜେ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପରାଜୟ ନିଶ୍ଚିତ ବୋଲି ମଧ୍ୟ କହିସାରିଲେଣି ।