ଭୁୁବନେଶ୍ୱର: ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ସଂଗଠନ ‘ଜୟ ଓଡ଼ିଶା’ ଏକ ମହତ କାର୍ଯ୍ୟ ନେଇ ଆଗକୁ ଆସିଛି । ଭୁବନେଶ୍ୱରର ଯେ କୌଣସି ଜାଗାରୁ ମୃତ ଶରୀରକୁ ସତ୍ୟନଗର ଶ୍ମଶାନ ପର୍ଯ୍ୟନ୍ତ ମାଗଣାରେ ବୋହି ଆଣିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗରିବ ଓ ଅସହାୟଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ନାଁ ରହିଛି “ଶେଷ ସାଥୀ” । ଆମଲଗମ୍ ଷ୍ଟିଲ୍ ପ୍ରାଇଭେଟ୍ ସଂସ୍ଥା ପକ୍ଷରୁ ଏଥିପାଇଁ ଏକ ଗାଡ଼ି ଯୋଗାଇ ଦିଆଯାଇଛି । ଏହି ଗାଡ଼ିକୁ ସ୍ୱର୍ଗରଥ ରୂପେ ବ୍ୟବହାର କରାଯିବ ।
ଆଜି “ଶେଷ ସାଥୀ” ଗାଡ଼ିର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏଭଳି ମହତ୍ କାର୍ଯ୍ୟକ୍ରମର ସେ ଭୂରି ପ୍ରଶଂସା କରିଥିଲେ । ଅର୍ଥାଭାବ କିମ୍ବା ଅନ୍ୟ ଯେ କୌଣସି କାରଣ ଯୋଗୁ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନେବାକୁ ଅସମର୍ଥ ପରିବାର ଏହାର ସୁଯୋଗ ନେଇପାରିବେ । ଏଥିପାଇଁ ଜୟ ଓଡ଼ିଶାର ୯୮୫୩୨୨୦୦୨୩ ନମ୍ବରରେ ଯୋଗାଯୋଗ କରିବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି ।
କୌଣସି ଅସହାୟ ପରିବାରକୁ ତାଙ୍କ ପ୍ରିୟ ମଣିଷଙ୍କ ଶେଷ ଯାତ୍ରାରେ କିଛି ସେବା ଯୋଗାଇବା ପାଇଁ ଜୟ ଓଡ଼ିଶା ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି । ଯଦି କୌଣସି ସ୍ଥାନରେ ଅଚିହ୍ନା ମୃତଦେହ ଉଦ୍ଧାର ହୁଏ, ତାହାକୁ ସତ୍ୟନଗର ମଶାଣିରେ ପହଞ୍ଚାଇବା ସହିତ ଅନ୍ତିମ ସଂସ୍କାରର ସମସ୍ତ କାର୍ଯ୍ୟ କରାଯିବ । ଏହି ସହାୟତା ନେବା ପାଇଁ ଜୟ ଓଡ଼ିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ ଅନୁରୋଧ କରିଛନ୍ତି ।