ଭୁୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ତାରିଖ ଆଜି ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୫ ରେ ଭୋଟ ଗ୍ରହଣ ହେବ । ୮ ତାରିଖରେ ଗଣତି ହେବ । ନିର୍ବାଚନ କମିସନଙ୍କ ପକ୍ଷରୁ ନଭେମ୍ବର ୧୦ ତାରିଖରେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ।
କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୧୦ ରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ । ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି । ୧୮ ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ନଭେମ୍ବର ୨୧ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଡିସେମ୍ବର ୫ ରେ ଭୋଟିଂ ଏବଂ ୮ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହୋଇଥିବାରୁ ଏହି ଉପନିର୍ବାଚନର ଆବଶ୍ୟକତା ପଡ଼ିଛି । ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୫,୭୩୪ ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।