ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (Special Development Council) ର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟସ୍ତରୀୟ ପ୍ରଶାସନିକ ସଂସ୍ଥାନର ସଚିବ ଶ୍ରୀମତୀ ସୁମିତା ଦାସ, ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶ୍ରୀ ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଏ ଅବସରରେ ନିଜର ବକ୍ତବ୍ୟ ରଖି ଶ୍ରୀ ମାଝୀ କହିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ଆଶୀର୍ବାଦରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ କଳା, ସଂସ୍କୃତି, ଓ ଜୀବନ ଜୀବିକାକୁ ପାଥେୟ କରି ଆଦିବାସୀ ଭାଇ ଓ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ପାଇଁ ନିଜର ଚେଷ୍ଟା ଜାରି ରଖିବି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନହିତରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ସାରକା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୁନର୍ଗଠନ ଓ ଦିଗଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ ସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଉପଦେଷ୍ଟା ଓ ସମସ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇଥିଲେ ।
ଏହି ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୯ଟି ଜିଲ୍ଲାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ଉପସ୍ଥିତ ରହି ଆଦିବାସୀ ମାନଙ୍କ ବିକାଶରେ ନିଜକୁ ନିୟୋଜିତ କରିବାକୁ ପ୍ରତିବଦ୍ଧତା ଜାହିର କରିଥିଲେ।