ଭୁବନେଶ୍ୱର: ନୟାଗଡ଼ ଯଦୁପୁର ଗାଁର ୫ ବର୍ଷର କୁନିଝିଅ ‘ପରୀ’ମର୍ଡର ହେବା ପୂର୍ବରୁ ରେପ୍ ର ଶିକାର ହୋଇଥିଲା । ଏହି ଜଘନ୍ୟ କାଣ୍ଡ ଭିଆଇଥିବା ଅପରାଧୀ ପାଖରେ ପହଞ୍ଚିସାରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ମାତ୍ର ୧୫ ଦିନର ଛାନଭିନ୍ ରେ ପରୀ ହତ୍ୟା ଘଟଣାର ପର୍ଦ୍ଦଫାସ୍ କରିବାରେ ସଫଳ ହୋଇଛନ୍ତି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ । ଆଜି ହାଇକୋର୍ଟରେ ଏସଆଇଟି ପକ୍ଷରୁ ଜଉମୁଦା ଲଫାପାରେ ଦାଖଲ ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ପରୀ ରେପ୍ ଆଣ୍ଡ୍ ମର୍ଡର୍ ର ଚାଞ୍ଚଲ୍ୟକର ତଥ୍ୟ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ କିଛି ତଦନ୍ତ ବାକି ଥିବାରୁ ଏହାକୁ ସାର୍ବଜନୀନ କରାଯାଇନାହିଁ ।
ସୂଚନା ଅନୁଯାୟୀ, ପରୀକୁ ରେପ୍ ଆଣ୍ଡ ମର୍ଡର କରିଥିବା ଏହି ନରରାକ୍ଷସ ସେହି ଯଦୁପୁର ଗାଁର । ତାର ବୟସ ୧୫ ରୁ ୨୫ ବର୍ଷ ବୋଲି କୁହାଯାଉଛି । ଏସଆଇଟି ମୁଖ୍ୟ ଶ୍ରୀ ବୋଥ୍ରା ସଂପୃକ୍ତ ଅପରାଧୀକୁ ଧରି ତାଠାରୁ ସବୁ ସତ ଓଗାଳିଛନ୍ତି । ଯେଉଁ ଆଖାରେ ପରୀର ଶବକୁ ପୂରେଇ ଫିଙ୍ଗାଯାଇଥିଲା ସେହି ଅଖା ପରୀକୁ ଦୁଷ୍କର୍ମ କରାଯାଇଥିବା ଜଣାଇ ଦେଇଥିଲା । ହତ୍ୟାକାରୀଠାରୁ ଅଧିକ ତଥ୍ୟ ଓଗାଳୁଛି ଏସଆଇଟି । ଏହି ଜଘନ୍ୟ କାଣ୍ଡ ପଛରେ ଆଉ କାହାରି ସଂପୃକ୍ତି ଅଛି ନା ନାହିଁ ତାହାର ଛାନଭିନ୍ କରାଯାଉଛି । ଖୁବ୍ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣାର ପର୍ଦ୍ଦାଫାସ୍ କରିବେ ବୋଥ୍ରା ।
ନୟାଗଡ଼ଠାରୁ ମାତ୍ର ୩ କିମି ଦୂର ଯଦୁପୁର ଗାଁର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ଜୁଲାଇ ୧୪ ତାରିଖ ମଧ୍ୟାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ଜୁଲାଇ ୨୩ ତାରିଖରେ ତାଙ୍କ ବାରିପଟ ପୋଖରୀ କୂଳରୁ ଅଖାରେ ବନ୍ଧା ହୋଇଥିବା ଏକ ଶବ ମିଳିଥିଲା । ଉକ୍ତ ଶବର ଶରୀରରେ ମାଂସ ନ ଥିଲା । କେବଳ ହାଡ଼ ଥିଲା । ଏହା ନିଖୋଜ ପରୀର ବୋଲି ଚିହ୍ନଟ ହୋଇଥିଲା । ନୟାଗଡ଼ ପୁଲିସ ଏହି ମାମଲାର ତଦନ୍ତ କରିଥିଲେ ମଧ୍ୟ ନିଜର ଅପରାଗତା ଦେଖାଇଥିଲା । ଉପର ଠାଉରିଆ ତଦନ୍ତ ଯୋଗୁଁ ଅପରାଧର ବିନ୍ଦୁ ବିସର୍ଗ ପାଇ ନ ଥିଲା ।
ପରୀ ହତ୍ୟାକାରୀକୁ ଧରିବାରେ ନୟାଗଡ଼ ପୁଲିସର ବିଫଳତା ଓ ଝିଅ ପାଇଁ ନ୍ୟାୟ ଭିକ୍ଷା କରି ନଭେମ୍ବର ୨୪ ତାରିଖରେ ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ ପରୀର ବାପା ଓ ମାଆ । ସ୍ଥାନୀୟ ବିଜେଡ଼ି ନେତା ବାବୁଲି ନାୟକକୁ ଅଭିଯୁକ୍ତ ବୋଲି ସେମାନେ ସିଧାସଳଖ ଅଭିଯୋଗ କରିଥିଲେ । ବିଧାନସଭା ଓ ବିଧାନସଭା ବାହାରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଥିଲା । ଅଭିଯୁକ୍ତକୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଧରି ବିଜେପି ଓ କଂଗ୍ରେସ ତମ୍ବି ତୋଫାନ ସୃଷ୍ଟି କରିଥିଲେ ।
ତେବେ ମାମଲାର ଗମ୍ଭୀରତାକୁ ବିଚାର କରି ରାଜ୍ୟ ସରକାର ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଏସଆଇଟି ଟିମ୍ କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ । ଏହି ଟିମ୍ ରେ ଅଛନ୍ତି କ୍ରାଇମବ୍ରାଞ୍ଚ ଏସପି ଆର.କେ.ଦୋରା, ଏଏସପି ଆର.ସି.ଥମ୍ବ, ଇନସପେକ୍ଟର ନରେନ୍ଦ୍ର କୁମାର ବେହେରା ଏବଂ ଇନସପେକ୍ଟର ମମତାରାଣୀ ପଣ୍ଡା । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ନଭେମ୍ବର ୨୯ ତାରିଖରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା ।