ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି । ଜୁଲାଇ ୧ ବେଳକୁ ସଂକ୍ରମଣ ହାର ୫ ପ୍ରତିଶତ ଥିଲା । ବର୍ତ୍ତମାନ ତାହା ୩ ପ୍ରତିଶତକୁ ଖସିଛି । ଦୈନିକ ସଂକ୍ରମଣ ସଂଖ୍ୟା ଦେଖିଲେ ପ୍ରାୟ ୨ ହଜାର ରହୁଛି । ସେଥିରେ ଉପକୂଳ ଜିଲ୍ଲାରୁ ୮୦ ପ୍ରତିଶତ ସଂକ୍ରମିତ ବାହାରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଂଶିକ ଲକଡାଉନ୍ କୁ ଅଗଷ୍ଟ ୧ ଯାଏଁ ବଢ଼ାଇ ଦେଇଛନ୍ତି । ତେବେ ଏଥିରେ ପୂର୍ବ କଟକଣାକୁ ଆହୁରି କୋହଳ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
ସଂକ୍ରମଣ ହାର ଦୃଷ୍ଟିରୁ ପୂର୍ବଭଳି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୨୦ ଜିଲ୍ଲାକୁ କାଟାଗୋରି-ଏ ଏବଂ ଉପକୂଳ ଓଡ଼ିଶାର ୧୦ ଜିଲ୍ଲାକୁ କାଟାଗୋରି-ବି ରେ ବିଭକ୍ତ କରାଯାଇଛି । ଦୁଇଟି ଯାକ କାଟାଗୋରିରେ ପୂର୍ବରୁ ଥିବା କଟକଣାକୁ କୋହଳ କରାଯାଇଛି । ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହୁଥିବା ବେଳେ କାଟାଗୋରି-ବି ଜିଲ୍ଲାଗୁଡ଼ିକରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ ।
କାଟାଗୋରି-ଏ ଜିଲ୍ଲାଗୁଡ଼ିକରେ ଏଣିକି ସକାଳ ୬ ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । ୮ଟାରୁ ପରଦିନ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । କାଟାଗୋରି-ବି ଜିଲ୍ଲାଗୁଡ଼ିକରେ ସକାଳ ୬ ରୁ ସଂଧ୍ୟା ୫ ଯାଏଁ ଦୋକାନ ଖୋଲିବ । ସଂଧ୍ୟା ୫ ରୁ ପରଦିନ ସକାଳ ୬ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ରହିବ ।
କାଟାଗୋରି-ଏ ଭଳି କାଟାଗୋରି-ବି ଜିଲ୍ଲାଗୁଡ଼ିକ ପାଇଁ ଥିବା ଯାତ୍ରୀ ପରିବହନ ସେବା କଟକଣାକୁ ହଟାଇ ଦିଆଯାଇଛି । ଅର୍ଥାତ୍ ଆସନ୍ତାକାଲି ଶୁକ୍ରବାରଠାରୁ ସମଗ୍ର ରାଜ୍ୟରେ ବସ୍, ଟାକ୍ସି, ଅଟୋ ଚଳାଚଳ କରିବ । ବସ୍ ରେ ଛିଡ଼ା ହୋଇ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ଟାକ୍ସି ଓ ଅଟୋରେ ଡ୍ରାଇଭରଙ୍କୁ ଛାଡ଼ି ଆଉ ଦୁଇଜଣ ବ୍ୟକ୍ତି ଯାଇପାରିବେ । ତେବେ ରାଜ୍ୟ ରାଜ୍ୟ ଭିତରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇନାହିଁ ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି, ସମଗ୍ର ରାଜ୍ୟରେ ବିୟୁଟି ପାର୍ଲର, ସେଲୁନ୍, ସ୍ପା, ଜିମ୍ ଖୋଲିବ ।
ଆଉଟଡୋର୍ ସ୍ପୋର୍ଟସ୍ କୁ ଅନୁମତି ୍ୱିଳିଥିବା ବେଳେ ଆଉଟଡୋର ଏବଂ ଇନଡୋର ଫିଲ୍ମ ସୁଟିଂ ପାଇଁ ଅନୁମତି ଦିଆଯାଇଛି ।
ତେବେ ସ୍କୁଲ, କଲେଜ, ପାର୍କ, ମଲ୍, ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ମେଳା, ଯାତ୍ରା, ପ୍ରଦର୍ଶନୀ, ରାଜନୈତିକ ସଭା ସମିତି ଉପରେ ଲାଗିଥିବା କଟକଣା ମଧ୍ୟ ଜାରି ରହିବ ।
ବିବାହ ଓ ଶୁଦ୍ଧିକ୍ରିୟା ଉପରେ ଥିବା କଟକଣା ପୂର୍ବଭଳି ଜାରି ରହିବ ।