ଭୁୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ୍ ପମ୍ପ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର କଟକ ବଡ଼ ମେଡ଼ିକାଲ୍ ରେ ମୃତ୍ୟୁ ଘଟିଛି । ସେ ହେଉଛନ୍ତି ପେଟ୍ରୋଲ୍ ପମ୍ପ କର୍ମଚାରୀ ଆସ୍କା ଅଞ୍ଚଳର ସତ୍ୟ ନାୟକ(୩୭) । ବିସ୍ଫୋରଣରେ ତାଙ୍କ ଶରୀର ୬୦ ପ୍ରତିଶତ ପୋଡି ଯାଇଥିଲା । ସେଠାରେ ଚିକିତ୍ସିତ ଅନ୍ୟ ଗୁରୁତର ଆହତ ଉତ୍ତର ପ୍ରଦେଶର ରିପୁ ଦମନ(୩୨)ଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ଶରୀରର ୪୦ ଭାଗ ପୋଡ଼ିଯାଇଛି ।

ସବୁଠାରୁ ବଡ଼କଥା, ବିସ୍ଫୋରଣସ୍ଥଳରେ କେହି ମୃତ୍ୟୁବରଣ କରିଛନ୍ତି ନା ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ କିଛି ବ୍ୟକ୍ତି ନିଖୋଜ ଥିବାରୁ ମୃତ୍ୟୁକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗତକାଲି ବିସ୍ଫୋରଣ ପରେ ବିଭିନ୍ନ ଜାଗାରେ ମଣିଷର ଅଙ୍ଗ ପ୍ରତ୍ୟଙ୍ଗ, ମାଂସ ପିଣ୍ଡୁଳା ଛିନଛତ୍ର ହୋଇ ପଡ଼ି ରହିଥିଲା । ଆହତମାନଙ୍କ ଶରୀରରୁ କୌଣସି ଅଙ୍ଗ ଛିଣ୍ଡି ନ ଥିବାରୁ ଏଗୁଡ଼ିକ କେଉଁଠୁ ଆସିଲା ତାହା ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ । ସେହିଭଳି ବିସ୍ଫୋରଣସ୍ଥଳ ଖୋଳି ହୋଇ ଗଭୀର ଗାତ ସୃଷ୍ଟି ହୋଇଥିବାରୁ ସେଠାରେ କିଛି ଲୋକ ପୋତି ହୋଇ ରହିଥିବାର ଅନୁମାନ କରାଯାଉଛି । ଆଜି ସେହି ଅଞ୍ଚଳକୁ ଖାନତଲାସ କରଯାଉଛି । ପେଟ୍ରୋଲ୍ ପମ୍ପରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ନିଖୋଜ ଥିବାରୁ ଆଶଙ୍କା ଦୃଢ଼ୀଭୂତ ହୋଇଛି ।
ପେଟ୍ରୋଲ୍ ପମ୍ପରେ ସୁପରଭାଇଜର୍ କାମ କରୁଥିବା ଗଞ୍ଜାମ ଜିଲ୍ଲାର ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମିଳୁ ନ ଥିବାରୁ ଆଜି ତାଙ୍କ ପରିବାର ଲୋକେ ଭୁବନେଶ୍ୱର ଆସି ଖୋଜାଖୋଜି କରୁଛନ୍ତି । ଗତକାଲି ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ବେଳେ ସେ ସେଠାରେ କାର୍ଯ୍ୟ କରୁଥିଲେ । କିଛି ଦୂରରେ ତାଙ୍କ ଜୋତା ଓ ପର୍ସ ପଡ଼ିଥିଲା । ମାତ୍ର ତାଙ୍କର କୌଣସି ପତ୍ତା ମିଳୁ ନ ଥିବାରୁ ଘରଲୋକ ପୁଲିସର ସାହାଯ୍ୟଭିକ୍ଷା କରିଛନ୍ତି । ତେବେ ଅନ୍ୟ ନିଖୋଜଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳିପାରିନାହିଁ ।
ସେପଟେ ବିପଦପୂର୍ଣ୍ଣ ସିଏନଜି ଟାଙ୍କିରୁ ଗ୍ୟାସ୍ ଖାଲି କରିବା ପ୍ରକ୍ରିୟା ଶେଷ ହୋଇଛି । ଗତକାଲି ସଂଧ୍ୟାରେ ବାଲେଶ୍ୱରରୁ ଦୁଇଟି ଗାଡ଼ି ପହଞ୍ଚିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କରରୁ ସୁରକ୍ଷିତ ଭାବେ ଗ୍ୟାସ୍ ଖାଲି କରାଯାଇଥିଲା । ଆଜି ସକାଳୁ ଟାଙ୍କିରେ ଗଚ୍ଛିତ ପେଟ୍ରୋଲ୍ ଓ ଡିଜେଲ୍ କୁ କଢ଼ାଯାଉଛି । ଧନଜୀବନ ସୁରକ୍ଷା ପାଇଁ ରାଜଭବନ ଛକ-ଗୋପବନ୍ଧୁ ଛକ ରାସ୍ତାକୁ ସିଲ୍ କରାଯାଇଛି । ତେବେ ସିଏନଜି ଟାଙ୍କିରୁ ଗ୍ୟାସ୍ ଖାଲି ହେବା ପରେ ବିପଦ ଟଳିଥିବା ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହାର ଛାନଭିନ୍ ଆରମ୍ଭ ହୋଇଛି । କ୍ୟାପିଟାଲ୍ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିବା ବେଳେ ଫରେନସିକ୍ ଟିମ୍ ତଦନ୍ତ ଜାରି ରଖିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ପ୍ରମୁଖ ସଚିବ ଆଜି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସୁରକ୍ଷା ବଳୟରେ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ରାଜଭବନ ନିକଟରେ ଏହି ପେଟ୍ରୋଲ୍ ପମ୍ପ ପାଇଁ କିଭଳି ଅନୁମତି ଦିଆଗଲା ତାହା ଏବେ ବଡ଼ ପ୍ରଶ୍ନ ଛିଡ଼ା କରାଇଛି । ତେଲ ଅପମିଶ୍ରଣ ଏବଂ ଅନ୍ୟାନ୍ୟ ଅଭିଯୋଗକ୍ରମେ କିଛି ବର୍ଷ ପୂର୍ବେ ଏହି ପେଟ୍ରୋଲ୍ ପମ୍ପ ବନ୍ଦ ହୋଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିରୁ ଏହି ପେଟ୍ରୋଲ୍ ପମ୍ପକୁ ଖୋଲିବାକୁ ଆଉ ଅନୁମତି ଦେଇ ନ ଥିଲେ । ମାତ୍ର ସରକାର ନିଷ୍ପତ୍ତି ବଦଳେଇ ପୁଣି ଖୋଲିବାକୁ ଅନୁମତି ଦେଇଥିଲେ । ଏହାପଛରେ କ’ଣ ଥିଲା ରହସ୍ୟ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ବିସ୍ଫୋରଣ ହୋଇଥିବା ରାଜଭବନ ପାଖ ପେଟ୍ରୋଲ୍ ପମ୍ପ କେବଳ ନୁହେଁ, ଲୋକସେବା ଭବନ ପଛପଟ, ୟୁନିଟ୍-୧, ୟୁନିଟ୍-୨ ଆଦି ଜନଗହଳିପୂର୍ଣ୍ଣ ସଂର୍ସ୍ପକାତର ଇଲାକାରେ ବେଧଡ଼କ ଚାଲିଛି ପେଟ୍ରୋଲ୍ ପମ୍ପ । ସୁରକ୍ଷା ଦୃଷ୍ଟିକୋଣରୁ ସଚିବାଳୟ ମାର୍ଗରେ ଅର୍ଥାତ୍ ନୂଆ ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ରାସ୍ତାରେ ପେଟ୍ରୋଲ୍ ପମ୍ପ ଖୋଲିବାକୁ ସରକାର ଅନୁମତି ଦେଉ ନ ଥିଲା ବେଳେ ଉପରୋକ୍ତ ଜନଗହଳି ଇଲାକାରେ ପେଟ୍ରୋଲ୍ ପମ୍ପକୁ କିଭଳି ଅନୁମତି ଦେଇଛନ୍ତି? ସୁରକ୍ଷା ଦୃଷ୍ଟିରୁ ଲୋକସେବା ଭବନ ଓ ଏହାର ଆଖାପାଖ ଅଞ୍ଚଳଠାରୁ ଆଉ ଗୁରୁତ୍ୱପୂର୍ଣ୍ଣ କିଛି ଅଛି କି?
ଏଲପିଜି ରିଫିଲିଙ୍ଗ୍ ବେଳେ ଲିକେଜ୍
ତଦନ୍ତ ପରେ ବିସ୍ଫୋରଣ କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଏଲପିଜି ରିଫିଲିଙ୍ଗ୍ ବେଳେ ଲିକ୍ ହେବାରୁ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ବେଳେ ୪ ଟନ୍ ଏଲପିଜି ଏବଂ ୧୦ ହଜାର ଲିଟର ପାଣି ଥିଲା । ପ୍ରଥମେ ହାଇଡ୍ରୋଜେନ୍ ଏବଂ ପରେ ନାଇଟ୍ରୋଜେନ୍ ରିଫିଲିଙ୍ଗ୍ ହେଉଥିବା ତଦନ୍ତରୁ ଜଣାପଡ଼ିଛି ।
ଅନାଥ ହୋଇଗଲେ ସତ୍ୟଙ୍କ ପରିବାର
ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିବା ସତ୍ୟ ନାୟକଙ୍କ ପରିବାର ଅନାଥ ହୋଇଯାଇଛନ୍ତି । ଆସ୍କା ଅନ୍ତର୍ଗତ ରଘୁନାଥନଗରର ଏହି ଯୁବକ ମାତ୍ର ୧୨ ଦିନ ତଳେ ରାଜଭବନ ପାଖ ପେଟ୍ରୋଲ୍ ପମ୍ପରେ ସୁପର୍ ଭାଇଜର ଚାକିରି କରିଥିଲେ । ଘରେ ତାଙ୍କର ୭୦ ବର୍ଷର ବିଧବା ମାଆ, ପତ୍ନୀ ଏବଂ ୭ ବର୍ଷର ଏକ ସନ୍ତାନ । ସତ୍ୟ ହିଁ ତାଙ୍କ ପରିବାରର ଏକମାତ୍ର ଭରସା । ତାଙ୍କ ରୋଜଗାରରେ ପରିବାର ଚଳେ । ଭୁବନେଶ୍ୱରରେ ନୂଆ ଚାକିରି ଜାଗାରୁ ଦିନକ ପାଇଁ ଛୁଟି ନେଇ ଗତକାଲି ଗାଁକୁ ଯିବାର ଥିଲା । ମାତ୍ର ନିୟତି ତାଙ୍କ ପାଇଁ ଅଲଗା ରାସ୍ତା ରଖିଥିଲା ।







