ନୂଆଦିଲ୍ଲୀ/ଭୁବନେଶ୍ୱର: ମାର୍ଚ୍ଚ ୧ ରୁ ସାରା ଦେଶରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ବହୁବିଧ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ଟିକା ଦିଆଯିବ । ଏହିଭଳି ଭାବେ ୧୦ କୋଟି ଲୋକଙ୍କୁ ଏହି ପର୍ଯ୍ୟାୟରେ ଟିକାକରଣ କରାଯିବ । ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବାକୁ ବ୍ୟବସ୍ଥା ହୋଇଛି । ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।
ଉଭୟ ସରକାରୀ ଓ ଘରୋଇ କେନ୍ଦ୍ରରେ ଟିକା ମିଳିବ । ତେବେ ସରକାରୀ କେନ୍ଦ୍ରରେ ମାଗଣାରେ ଟିକା ମିଳିବ ଏବଂ ଘରୋଇ କେନ୍ଦ୍ରରେ ଟିକା ପାଇଁ ଟଙ୍କା ଦେବାକୁ ପଡ଼ିବ । କେତେ ଟଙ୍କା ପଡ଼ିବ, ତାହା ୩/୪ ଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବୟସ୍କଙ୍କୁ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଗାଇଡଲାଇନ ଜାରି ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ ପଠାଇଛନ୍ତି ।
ରବିବାର ଛଡ଼ା ସପ୍ତାହରେ ୫ ଦିନ ଟିକାକରଣ କରାଯିବ । ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରାଯାଇ ତାଲିମ ଦିଆଯିବ । ଅନ୍ୟ ସ୍ୱାସ୍ଥ୍ୟସେବାରେ ଲାଗିଥିବା ଏଏନଏମଙ୍କୁ ଟିକା କାମରେ ଲଗାଯିବନି । ପ୍ରତି ବ୍ଲକ୍ ଓ ସହରାଞ୍ଚଳରେ ୬/୭ ଟି ମୋବାଇଲ ଟିକା ଟିମ୍ ରହିବ । ଟିକା ଗଚ୍ଛିତ, ଯୋଗାଣ କାର୍ଯ୍ୟକୁ ସୁନିୟନ୍ତ୍ରିତ କରିବା ପାଇଁ ଏଥିରେ କୁହାଯାଇଛି । ଟିକାକରଣର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଫେବୃଆରୀ ୨୮ ମଧ୍ୟରେ ସାରିବାକୁ ନିଦେ୍ର୍ଦଶ ଦିଆଯାଇଛି ।