ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୮ ତାରିଖରୁ ହେବ ଯୁକ୍ତ ଦୁଇ(+୨) କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା । ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପରୀକ୍ଷା ସଂକ୍ରାନ୍ତରେ ସୂଚନା ଦିଆଯାଇଛି । ପିଲା ଅଫ୍ ଲାଇନ୍ ରେ ହିଁ ପରୀକ୍ଷା ଦେବେ ।
ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଗୋଟିଏ ସିଟିଂ ପରୀକ୍ଷା କରାଯିବ । କୋଭିଡ୍ ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କିଛିଟା କୋହଳ କରାଯାଇଛି । ପିଲାମାନେ ନିଜ ଶିକ୍ଷକମାନଙ୍କ ଅଧୀନରେ ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଦେବେ । ପରୀକ୍ଷା କରିବା ପାଇଁ ବାହାରୁ ଏକ୍ସଟରନାଲ୍ ଆସିବେ ନାହିଁ ।
ପରୀକ୍ଷା ମୂଲ୍ୟାୟନ ଦୁଇଟି ସ୍କିମ୍ ରେ ହେବ । ପ୍ରଥମ ସ୍କିମ୍ ହେଉଛି ବାର୍ଷିକ ପରୀକ୍ଷାରେ ପିଲାଙ୍କ ପ୍ରଦର୍ଶନ ଭିତ୍ତିରେ ମାର୍କ । ଏବଂ ଦ୍ୱିତୀୟଟି, ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡ୍ ର ୨୦% ଅନୁସାରେ ମାର୍କ । ଏହି ଦୁଇଟିରୁ ଯେଉଁଥିରେ ସର୍ବାଧିକ ମାର୍କ ରହିବ ତାହା ଚୂଡ଼ାନ୍ତ ହେବ ।