ନୂଆଦିଲ୍ଲୀ/ଭୁୁବନେଶ୍ୱର: ଓଡ଼ିଶାକୁ ୫୦୦ କୋଟି ଟଙ୍କା ବାତ୍ୟା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ମଧ୍ୟ ୫୦୦ କୋଟି ସହାୟତା ଦିଆଯାଇଛି । ଏହିଭଳି ଭାବେ ତିନୋଟି ରାଜ୍ୟ ପାଇଁ ବାତ୍ୟା ୟାସ୍ ସହାୟତା ବାବଦ ଏକ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ଏଥିସହ ବାତ୍ୟାରେ ମୃତ୍ୟୁବରଣ କରିଥିବା ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଏବଂ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଟିମ୍ ଖବୁ ଶୀଘ୍ର ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ପ୍ରଥମେ ଓଡ଼ିଶା ଆସି ଭୁବନେଶ୍ୱର ବିମାନବନ୍ଦରଠାରେ ବାତ୍ୟା ସମୀକ୍ଷା ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରଠାରୁ ତୁରନ୍ତ ସହାୟତା ବାବଦରେ ଟଙ୍କା ମାଗି ନ ଥିଲେ । ବରଂ ବାତ୍ୟାରୁ ରକ୍ଷା ପାଇବା ନିମନ୍ତେ ଦୀର୍ଘସୂତ୍ରୀ ସ୍ଥାୟୀ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଚାହିଁଥିଲେ । ୭ ଦିନରେ କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି କୁହାଯାଇଥିଲା ।
ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଭଦ୍ରକ ଓ ବାଲେଶ୍ୱର ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ବୁଲି କୋଲକତାରେ ବାତ୍ୟା ସମୀକ୍ଷା କରିଥିଲେ ।