ଭୁୁବନେଶ୍ୱର: ବିଜେଡ଼ି ସରକାର ବିରୋଧରେ ରାଜ୍ୟ ବିଜେପିର ବଡ଼ ପ୍ରସଙ୍ଗ ହେଉଛି ଖଣି ଦୁର୍ନୀତି । ଆଜି ନୁହେଁ, ବର୍ଷ ବର୍ଷ ଧରି ବିଜେପି ନିରନ୍ତର ଭାବେ ଏହି ପ୍ରସଙ୍ଗରେ ନବୀନ ସରକାରଙ୍କୁ ଘେରୁଛି । ଅତୀତରେ ନବୀନଙ୍କ ଇସ୍ତଫା ଦାବି କରି ରାଜରାସ୍ତା ଫଟାଇଛି । ବିଗତ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି ଏହାକୁ ମୁଖ୍ୟ ଅସ୍ତ୍ର କରିଥିଲା ବେଳେ ଏବେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହି ଅସ୍ତ୍ରକୁ ଛାଡ଼ିନାହିଁ ।
ଠିକ୍ ଏହି ସମୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ତାହା ପୁଣି ସେହି ଖଣି ପ୍ରସଙ୍ଗରେ । ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଭାଷଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖଣି ଓ କୋଇଲା କ୍ଷେତ୍ରରେ ନୂଆ ସଂସ୍କାର ଆଣିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ଗତ ବର୍ଷକରେ ଦେଶରେ ଖଣି ରାଜସ୍ୱ ୧୪ ହଜାର କୋଟିରୁ ବୃଦ୍ଧି ପାଇ ୩୫ ହଜାର କୋଟିରେ ପହଞ୍ଚିଛି । ଏହାଦ୍ୱାରା ରାଜ୍ୟ ସହ ଦେଶର ପ୍ରଗତି ବି ସମ୍ଭବ ହୋଇଛି । ଏହି ଖଣିଜ ସଂସ୍କାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ପ୍ରଶଂସନୀୟ । ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସଂସଦରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି ସାବାସୀ ଓ ପ୍ରଶଂସା ପରେ ଖଣି ଦୁର୍ନୀତି ପ୍ରସଙ୍ଗକୁ ଅସ୍ତ୍ର କରିଥିବା ରାଜ୍ୟ ବିଜେପି ନେତାଙ୍କ ମୁହଁ ଝାଉଁଳି ଯାଇଛି । ଆଜି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ବରଂ ବିଜେଡ଼ି ଏହାର ଚକ୍ରବୃଦ୍ଧି ହାର ଫାଇଦା ନେବା ସ୍ଥିତିକୁ ଚାଲି ଆସିଛି । ରାଜ୍ୟ ବିଜେପି ଏବେ ଲୋକଙ୍କ ପ୍ରଶ୍ନର କି ଜବାବ ଦେବ ଓଲଟି ତାହା ସାଧାରଣରେ ଉତ୍ସୁକତା ସୃଷ୍ଟି କରିଛି ।
ଏ ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଙ୍କ ପ୍ରତିକ୍ରିୟା ଆସି ନ ଥିଲେ ମଧ୍ୟ ବିଜେଡ଼ି ମହଲକୁ କିନ୍ତୁ ଏହା ବିଶେଷ ଉତ୍ସାହିତ କରିଛି । ପ୍ରଧାନମନ୍ତ୍ରୀଙ୍କଠାରୁ ରାଜ୍ୟ ବିଜେପି କିଛି ଶିଖୁ ବୋଲି ଦଳୀୟ ନେତାମାନେ କଟାକ୍ଷ କରିଛନ୍ତି । କେବଳ ଖଣିଜ ସଂସ୍କାର ନୁହେଁ, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ରଣୀ ଭୂମିକାରେ ଅଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ରୋଲ୍ ମଡେଲ ବୋଲି ବାରମ୍ବାର ପ୍ରମାଣିତ ହୋଇସାରିଥିବା ବରିଷ୍ଠ ବିଜେଡ଼ି ନେତାମାନେ କହିଛନ୍ତି ।