ଭୁବନେଶ୍ୱର: ତୃତୀୟ ଥର ପାଇଁ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ସଦସ୍ୟଙ୍କ ସହ ଅଧଘଣ୍ଟିଆ ବୈଠକ କରି କାର୍ଯ୍ୟକର୍ତ୍ତାଙ୍କ ଜୋସ୍ ବଢ଼ାଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ରାଜଭବନରେ ରାତ୍ରୀଯାପନ କରୁଛନ୍ତି ।
ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସିଧା ଆସିଥିଲେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ । ରାଜ୍ୟ ବିଜେପି କୋର୍ କମିଟି ଏବଂ ମୁଖ୍ୟ କାର୍ଯ୍ୟକର୍ତ୍ତମାନଙ୍କ ସହ ମନ୍ତ୍ରଣା ବୈଠକ କରିଥିଲେ । ଓଡ଼ିଶାରେ ନିର୍ବାଚନ ସ୍ଥିତି, ଦଳୀୟ ରଣନୀତି ଆଦିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ଅଧଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କର ବୈଠକ ଚାଲିଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।
ଆସନ୍ତାକାଲି ସକାଳ ୭ଟାରେ ପ୍ରଧାନମନ୍ତ୍ରୀ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସକାଳ ୮ଟାରେ ସିଂହଦ୍ୱାର ଛକରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ରୋଡ୍ ସୋ’ କରିବେ ମୋଦୀ । ଏହାପରେ ଅନୁଗୁଳ ଏବଂ କଟକରେ ନିର୍ବାଚନ ପ୍ରଚାର ସଭାରେ ଯୋଗଦେବେ ।