ଭୁବନେଶ୍ୱର: ଆସନ୍ତାକାଲି ୨୦ ତାରିଖ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୫ଟି ଲୋକସଭା ଆସନ ଆସ୍କା, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଏହା ଅଧୀନସ୍ଥ ୩୫ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବାଛିବେ ଭୋଟର । ଏଥିରେ ୪୦ ସାଂସଦ ପ୍ରାର୍ଥୀ ଏବଂ ୨୬୫ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ଏହି ଦ୍ୱିତୀୟ ପର୍ଯ୍ୟାୟରେ ଦୁଇ ଦୁଇଟି ଜାଗାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା ହେବ । ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଏବଂ କଣ୍ଟାବାଂଝୀରୁ ନିର୍ବାଚନ ଲଢ଼ୁଛନ୍ତି । ମନ୍ତ୍ରୀ ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ପ୍ରତୀପ କୁମାର ଅମାତ୍, ଟୁକୁନି ସାହୁ, ରୀତା ସାହୁ, ସାରଦା ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ଦିଲ୍ଲୀପ ରାୟ, ପୂର୍ବତନ ହକି କ୍ୟାପଟେନ୍ ଦିଲ୍ଲୀପ ତିର୍କୀ ପ୍ରମୁଖଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ ।
ଏହି ପର୍ଯ୍ୟାୟରେ ସମୁଦାୟ ୭୯.୬୯ ଲକ୍ଷ ଭୋଟର ୯,୧୬୨ ଟି କେନ୍ଦ୍ର(ବୁଥ୍) ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୩୯.୩୫ ଲକ୍ଷ ମହିଳା ଭୋଟର ଅଛନ୍ତି । ୨୪ ପ୍ରତିଶତ ଭୋଟରଙ୍କ ବୟସ ୩୦ ବର୍ଷରୁ କମ୍ ।
୧,୫୪୧ ବୁଥ୍ କୁ ମଡେଲ୍ ବୁଥ୍ କରାଯାଇଛି । ୧,୦୪୧ ବୁଥ୍ କେବଳ ମହିଳାମାନଙ୍କ ଦ୍ୱାରା ଏବଂ ୨୫ ଟି ବୁଥ୍ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ହେବ । ମାଓ ପ୍ରବଣ ଅଞ୍ଚଳ ସମେତ ପ୍ରାୟ ୨୦ ପ୍ରତିଶତ ବୁଥ୍ କୁ ସମ୍ବେଦନଶୀଳ(କ୍ରିଟିକାଲ୍) କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
ପୁଲସି ଡିଜି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ପାଇଁ ମୋଟ ୩୩ ହଜାର ପୁଲିସ ପୁଲିସ କର୍ମଚାରୀ ମୁତୟନ ହେବେ । ୧୦୨ କେନ୍ଦ୍ରୀୟ ଆର୍ମଡ ଫୋର୍ସ ସହ ୬୬ ପ୍ଲାଟୁନ୍ ଓଡ଼ିଶା ପୁଲିସ ମଧ୍ୟରେ ୪୭ ଜଣ ଏଏସପି, ୮୮ ଡିଏସପି, ୨୩୬ ଜଣ ଇନସପେକ୍ଟର ମୁତୟନ ହେବେ । ୬୫୫ ଜଣ ମୋବାଇଲ୍ ପାର୍ଟି ନିୟୋଜିତ କରାଯିବ ।
Continue Reading