ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୂଆଁଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ପବିତ୍ର ଗୁରୁ ନାନକ ଦେବ ଜୟନ୍ତୀ ଅବସରରେ ସକାଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ୩ଟି ଯାକ ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି । ପାର୍ଲିଆମେଣ୍ଟର ଆଗାମୀ ଶୀତ ଅଧିବେଶନରେ ଏହାର ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହେଁ ଯେ ଆମେ ନୂଆ ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛୁ । ଏହି ତିନୋଟି ଆଇନ ଦେଶର କୃଷକଙ୍କ ମଙ୍ଗଳ ନିମନ୍ତେ ହିଁ ଉଦ୍ଦିଷ୍ଟ ଥିଲା । କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ମାତ୍ର ଆମେ କୃଷକଙ୍କୁ ବୁଝାଇବାରେ ବିଫଳ ହେଲୁ । ବୋଧହୁଏ ଆମ ଉଦ୍ୟମରେ କିଛି ଅଭାବ ରହିଗଲା । ସେଥିପାଇଁ ଦେଶବାସୀଙ୍କ ପାଖରେ ମୁଁ କ୍ଷମା ପ୍ରାର୍ଥନା କରୁଛି ।
ଏବେ କୃଷକମାନେ ଘରକୁ ଫେରି ଚାଷ କାର୍ଯ୍ୟରେ ମନୋନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଆନ୍ଦୋଳନରତ କୃଷକଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଥାଉକି, ଗତବର୍ଷ ୨୦୨୦ ସେପ୍ଟେମ୍ବରରେ ତିନୋଟି ନୂଆ କୃଷି ବିଲ୍ ପାର୍ଲିଆମେଣ୍ଟପାସ୍ ହୋଇ ସେପ୍ଟେମ୍ବର ୨୭ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିଥିଲା ।
ଏହି ତିନୋଟି ବିଲ୍ ଥିଲା- ଫାର୍ମର୍ର୍ସ ପ୍ରଡ୍ୟୁସ୍ ଟ୍ରେଡ ଆଣ୍ଡ କମର୍ସ (ପ୍ରମୋସନ ଆଣ୍ଡ ଫାସିଲିଟେସନ୍) ବିଲ୍, ୨୦୨୦ ଫାର୍ମର୍ସ (ଏମପାୱାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ୍) ଏଗ୍ରିମେଣ୍ଟ ଅନ ପ୍ରାଇସ୍ ଆସୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍ ବିଲ୍, ୨୦୨୦ ଏବଂ ଏସେନସିଆଲ୍ କମୋଡିଟିଜ୍( ଆମେଣ୍ଡମେଣ୍ଟ) ବିଲ୍ ୨୦୨୦ ।
ତେବେ କୃଷି ଆଇନକୁ ଦେଶବ୍ୟାପୀ ବଡ଼ ବଡ଼ କୃଷକ ସଂଗଠନ ବିରୋଧ କରିଥିଲେ । ଏମଏସପି ବ୍ୟବସ୍ଥା ଉଚ୍ଛେଦ ପାଇଁ ଏହି ବାଟ ଫିଟାଇବ ଏବଂ ବଡ଼ ବଡ଼ କମ୍ପାନୀ ମର୍ସିରେ ଚାଲିବ ବୋଲି ଦର୍ଶାଇ ଆଇନକୁ ଗ୍ରହଣ କରି ନ ଥିଲେ । ଏହାର ପ୍ରତ୍ୟାହାର ଦାବି କରି ରାଜରାସ୍ତାରେ ଆନ୍ଦୋଳନ ଚାଲୁ ରଖିଥିଲେ । ଅପରପକ୍ଷରେ କୃଷକଙ୍କ ଚାପ ଆଗରେ ମୁଣ୍ଡା ନୂଆଁଇବେନି ବୋଲି ଜିଦ୍ ଧରି ଧରିଥିଲେ କେନ୍ଦ୍ର ସରକାର । ଏପରିକି କୃଷକ ସଂଗଠନ ସହ ମୁହାଁମୁହିଁ ଅବସ୍ଥାକୁ ଚାଲିଯାଇଥିଲେ ।