ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣା ପରେ ଗୋଟେ ଟୁଇଟ୍ କରି ଚୁପ୍ ରହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ତାଙ୍କ ଦଳ ଜୋରଦାର ଆନ୍ଦୋଳନ କରୁଥିଲେ ମଧ୍ୟ ସେ ପାଟି ଫିଟାଇ ନ ଥିଲେ । ଧର୍ମେନ୍ଦ୍ରଙ୍କ ଏହି ନିରବତା ଦଳୀୟ ନେତାଙ୍କ ମନୋବଳ ଭାଙ୍ଗୁଥିଲା । ମାତ୍ର ଆଜି ତାହାର ଅବସାନ ଘଟିଛି । ମମିତା ମାମଲାରେ ଧର୍ମେନ୍ଦ୍ର ଖାଲି ମୁହଁ ଖୋଲିନାହାନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ନିଶାନା କରିଛନ୍ତି ।
ଆଜି ବିଜେପି ଅଫିସ୍ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଝାଡ଼ିଥିଲେ । କହିଥିଲେ, ପୀଡ଼ିତାଙ୍କ ବାପା ମା’ ଙ୍କ ଉପରେ ଚାପ ପକାଇ ଆପଣ ସେମାନଙ୍କୁ ହାଇକୋର୍ଟ ଆଣିଛନ୍ତି । ଏତଲା ଦର୍ଜ ପାଇଁ ସେମାନେ ଥାନାକୁ ଥାନା ବୁଲୁଥିଲେ । ଏବେ ମାମଲାର ତ୍ୱରିତ ବିଚାର ପାଇଁ କେସ୍ କରିଛନ୍ତି । ଚାର୍ଜସିଟ୍ ଦାଖଲର ସମୟ ସରି ନ ଥିବା ବେଳେ ଏଭଳି କାହିଁକି?
ଧର୍ମେନ୍ଦ୍ର ପୁଣି କହିଥିଲେ, ଆପଣଙ୍କ ଗୃହ ମନ୍ତ୍ରୀ ଏହି ମାମଲାରେ ସଂଶ୍ଲିଷ୍ଟ ନ ଥାଇପାରନ୍ତି । ତାହାହେଲେ ବିଗତ ଦିନରେ ଯେଉଁ ମନ୍ତ୍ରୀଙ୍କୁ ଦୁର୍ନୀତି ଏବଂ ଅପାରଗତା ପାଇଁ ବାହାର କରିଛନ୍ତି ସେମାନେ କ’ଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ? ସେମାନଙ୍କ କ୍ଷେତ୍ରରେ ନୈତିକତା ଓ ମୂଲ୍ୟବୋଧ କ’ଣ ଅଲଗା ବୋଲି ଧର୍ମେନ୍ଦ୍ର ପଚାରିଥିଲେ । ଏ ଅହଂକାର ବେଶୀ ଦିନ ରହିବ ନାହିଁ ବୋଲି କହିଥିଲେ ।
ସୂଚନାଥାଉକି, କିଛି ଦିନ ତଳେ ବିଜେଡ଼ିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ନିଜ ସମର୍ଥକମାନଙ୍କ ସହ ବିଜେପିରେ ଯୋଗଦେଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ଉଦବୋଧନ ଦେଇ ମମିତା ମେହେର ପ୍ରସଙ୍ଗ ଉଠାଇଥିଲେ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିବା ଧର୍ମେନ୍ଦ୍ରଙ୍କୁ ବିଜେଡ଼ି କି ଜବାବ ଦେଉଛି ତାହାକୁ ଅପେକ୍ଷା କରାଯାଇଛି ।