ଦମ୍ ଥିଲେ ପୁଲିସ କିମ୍ବା ଉଚ୍ଚ ନ୍ୟାୟାଳୟରେ ପ୍ରମାଣ ଦିଅନ୍ତୁ-ବବି
ଭୁବନେଶ୍ୱର: ମମିତା ମେହେର ମାମଲା ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଶାନା କରିଥିଲେ । ନୈତିକତାର ପାଠ ପଢ଼ାଇଥିଲେ । ତେବେ ଧର୍ମେନ୍ଦ୍ରଙ୍କୁ ଏହାର କଡ଼ା ଜବାବ ଦେଇଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ । ଖାଲି ଜବାବ ନୁହେଁ, ଟୁଇଟ୍ କରି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନଜାଲରେ ଛନ୍ଦିଛନ୍ତି ।
ବବିଙ୍କ ଜବାବ
(୧) ଭାଇ, ଅଶେଷ ଧନ୍ୟବାଦ । ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ, ଯେତେବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଏବେ ବି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସାରା ଓଡ଼ିଶାବାସୀ ଜାଣିଛନ୍ତି ।
(୨) ଯଦି ଦମ ଅଛି ଆପଣ ଓ ଆପଣଙ୍କ ଦଳ ଆସି ପୁଲିସ କିମ୍ବା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଠୋସ୍ ପ୍ରମାଣ ଦିଅନ୍ତୁ । ଇସ୍ତଫା ଛାଡ଼ନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍ ରେ ଭର୍ତ୍ତି କରିବେ ।
(୩) ଭାଇ, ଟ୍ରେନ ଦୁର୍ଘଟଣାରେ ପୂଜ୍ୟ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ ଦୁର୍ଘଟଣା ଘଟିଛି ଏବଂ ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି । ଆପଣଙ୍କ ମନ୍ତ୍ରୀମଣ୍ଡଳର କେତେଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି?
(୪) ଭାଇ, ମାନ୍ୟବର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇ ୭ ଜଣ ନିରୀହ ଚାଷୀ ଭାଇଙ୍କୁ ମାରି ଜେଲରେ ଅଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମୋକଦ୍ଦମା ହେଲା । ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼େଇଲେ ଭଲ ହୁଅନ୍ତା ।