ଭୁୁବନେଶ୍ୱର: ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଓ ବହିଷ୍କାର ଦାବିରେ ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଧର୍ମଘଟ ଶାନ୍ତିପୂର୍ଣ୍ଣ ଏବଂ ସଫଳ ହୋଇଥିବା କଂଗ୍ରେସ ଦାବି କରିଛି । ଅନ୍ୟପକ୍ଷରେ କଂଗ୍ରେସର ହରତାଳ ‘ଜୋକ୍’ରେ ପରିଣତ ହୋଇଛି ବୋଲି ବିଜେଡ଼ି କଟାକ୍ଷ କରିଛି । ହରତାଳ ବିଫଳତା ଉଭୟ କଂଗ୍ରେସ ଓ ବିଜେପି ପାଇଁ ସତର୍କ ଘଣ୍ଟି ବୋଲି ଦଳ କହିଛି ।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ କହିଥିଲେ, କଂଗ୍ରେସ କର୍ମୀ ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣେଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କଲେ । ସେଥିପାଇଁ ରାଜ୍ୟବାସୀ ଏବଂ କଂଗ୍ରେସର ସମସ୍ତ ନେତୃବୃନ୍ଦ, ଛାତ୍ର, ମହିଳା, ଯୁବ କଂଗ୍ରେସ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସଂଗ୍ରାମ ଏଇଠି ଶେଷ ହୋଇ ନାହିଁ । ଏ ଲଢ଼େଇ ଆଗାମୀ ଦିନରେ ଜାରି ରହିବ ।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, ବିଜେଡ଼ି ସରକାର ଅହଙ୍କାର ସୀମା ପାର କରିଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଥିଲା । ନୂଆକରି କଂଗ୍ରେସ ଧର୍ମଘଟ ପାଳନ କରୁନାହିଁ । ରାଜ୍ୟ ସରକାର କୋର୍ଟକୁ ଯାଇ ବନ୍ଦକୁ ଭଣ୍ଡୁର କରିବା ପାଇଁ ଚଞ୍ଚକତା କରିଛନ୍ତି । ରାଜ୍ୟ ସରକାର ବନ୍ଦକୁ ବିଫଳ କରିବାପାଇଁ ଯେଉଁ ଉଦ୍ୟମ କରିଥିଲେ ତାହା ହୋଇପାରିଲା ନାହିଁ।
ଏଆଇସିସି ସଂପାଦକ ଶରତ ରାଉତ କହିଥିଲେ, କଂଗ୍ରେସ ଦିବ୍ୟଶଙ୍କର ମିଶ୍ର ଗିରଫଦାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବନ୍ଦ ଡାକରା ଦେଇଥିଲା । ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏକ ନୂତନ ଢ଼ଙ୍ଗରେ କଂଗ୍ରେସ ବନ୍ଦ କରିଛି ।








