ଭୁବନେଶ୍ୱର: ଅସାଧୁ, ଅପରାଗ ଓ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଜାରି ରଖିଛନ୍ତି । ଏହି ଅଭିଯାନରେ ଆଉ ୮ ଜଣ ଅଧିକାରୀଙ୍କୁ ଚାକିରିରୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି । ନିକଟରେ ଭିଜିଲାନସ୍ ଦ୍ୱାରା ଧରାପଡ଼ିଥିବା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଏହି ତାଲିକାରେ ଅଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କାର କଲେଣି ।
ଆଜି ଚାକିରିରୁ ତଡ଼ା ଖାଇଥିବା ଲାଞ୍ଚୁଆ ବାବୁମାନେ ହେଲେ..
ରାମଚନ୍ଦ୍ର ଜେନା: ନିମାପଡାର ପୂର୍ବତନ ତହସିଲଦାର ତଥା ସବ୍ ରେଜିଷ୍ଟର ଦାୟିତ୍ବରେ ଥିବା ଓ.ଏ.ଏସ୍ ଅଧିକାରୀ ରାମଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଲାସି କରାଯାଇଥିବା ସମୟରେ ତାଙ୍କ ନିକଟରୁ ୫ଟି ପ୍ୟାନ୍ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହାପର ଠାରୁ ସେ ଚାକିରୀରୁ ନିଲମ୍ବିତ ହୋଇଥିଲେ ।
ଗୌରାଙ୍ଗ ଚରଣ ମହାନ୍ତି: ଜଗତସିଂହପୁରର ପୂର୍ବତନ ଡ଼େପୁଟି କଲେକ୍ଟର ଓ.ଏ.ଏସ୍ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୁଦ୍ଧରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା । ତାଙ୍କ ନାମରେ ସରକାରୀ ପାଣ୍ଠି ଆତ୍ମସାତ ତଥା ସରକାରୀ ଯୋଜନାର ସୁବିଧା ଆବଣ୍ଟନରେ ଅନିୟମିତତାର ଅଭିଯୋଗ ଥିଲା ।
ଆଲଫୋନ୍ସ ବିଲୁଙ୍ଗ: ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡର ଅମ୍ବାଭୋନାରେ ବି.ଡି.ଓ ଥିବା ଓ.ଏ.ଏସ୍ ଅଧିକାରୀ ଆଲଫୋନ୍ସ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେ ଜମିର କିସମ ପରିବର୍ତ୍ତନ ତଥା ରାଜସ୍ବ ଆଦାୟ କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦାନ କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ।
ବିଧାନ ଚନ୍ଦ୍ର ସାହୁ: କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦୨୧ ଅକ୍ଟୋବର ମାସରେ ସେ ବହୁ ପରିମାଣର ଟଙ୍କା ଧରି ଯାଉଥିବାର ଖବର ପାଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ହଠାତ୍ ଯାଞ୍ଚ କରାଯାଇଥିଲା ଏବଂ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାପରେ ତାଙ୍କ ସମ୍ପତ୍ତି ଉପରେ ଚଢଉ କରାଗଲା ବେଳେ ଅନେକ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା ।
ଶ୍ରୀମତୀ ମୀନା ପାତ୍ର : କଳାହାଣ୍ଡି ଲାଞ୍ଜିଗଡ ବ୍ଲକ୍ର ବିଶ୍ବନାଥପୁରଠାରେ ସମନ୍ୱିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ମୀନା ପାତ୍ର ୨୦୨୧ ଅକ୍ଟୋବର ୪ ତାରିଖରେ ଦୁଇଟି ସ୍ୱୟଂ ସହାୟତା ଗୋଷ୍ଠୀ ଠାରୁ ଛତୁଆ ଯୋଗାଣ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରି ତାଙ୍କୁ ଧରା ଯାଇଥିଲା । ଭବାନୀପାଟଣାରେ ତାଙ୍କର ଦୁଇଟି କୋଠାଘର ଓ ୬ଟି ପ୍ଲଟ୍ ରହିଛି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଶ୍ରୀମତୀ ପୁଷ୍ପାଞ୍ଚଳୀ ରଥ : କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍ର ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ପୁଷ୍ପାଞ୍ଚଳୀ ରଥ ୨୦୨୧ ଅକ୍ଟୋବର ୨୫ ତାରିଖରେ ଗୋଟିଏ କର୍ମୀ ନିଯୁକ୍ତି ପାଇଁ ୧ ଲକ୍ଷ ଟଙ୍କା ଦାବୀ କରି ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଧରା ଯାଇଥିଲା । ତଲାସୀ ସମୟରେ ତାଙ୍କ ନିକଟରେ ବହୁ ପରିମାଣର ସମ୍ପତ୍ତି ଠାବ କରାଯାଇଥିଲା । ସେଥିମଧ୍ୟରୁ ବଲାଙ୍ଗୀରରେ ଗୋଟିଏ ଦ୍ବିତଳ ପ୍ରାସାଦ, ଗୋଟିଏ ଟାଟା ନେକ୍ସନ କାର୍, ୩ଟି ପ୍ଲଟ୍ ଏବଂ ତାସହିତ ନିଜର ଓ ପରିବାରର ସଦସ୍ୟଙ୍କ ନାମରେ ଅନେକ ପୁଞ୍ଜି ବିନିଯୋଗ କରାଯାଇଛି।
ଅଜିତ କୁମାର ମହାପାତ୍ର: ଓଡିଶା ଅବକାରୀ ସେବା ଅଧିନରେ କାମ କରୁଥିବା ଦେବଗଡର ପୂର୍ବତନ ଡେପୁଟି ଅବକାରୀ ସୁପରିଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର ୨୦୨୧ ସେପ୍ଟେମ୍ବର ୨୯ ତାରିଖ ଦିନ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଧରା ଯାଇଥିଲା । ତଳାସୀ ସମୟରେ ବର୍ତ୍ତମାନ ସୁଦ୍ଧା ତାଙ୍କ ନିକଟରୁ ଧରା ଯାଇଥିବା ସଂପତି ଗୁଡିକ ହେଉଛି (୧) ବ୍ରହ୍ମପୁର ସହରରେ ୬୦ ଲକ୍ଷ ଟଙ୍କା ବିଶିଷ୍ଟ ଏକ ମହଲା ବିଶିଷ୍ଟ କୋଠାଘର, (୨) ବ୍ରହ୍ମପୁର ତହସିଲରେ ତାଙ୍କ ପତ୍ନୀଙ୍କ ନାମରେ ଦୁଇଟି ପ୍ଲଟ ଓ ଅନେକ ସୁନା ଅଳଙ୍କାର ।
ପ୍ରଭାକର ପ୍ରଧାନ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ରେ କ୍ୟାସିଅର ଭାବରେ କାମ କରୁଥିବା ପ୍ରଭାକର ପ୍ରଧାନ ବିଭିନ୍ନ ହିତାଧିକାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ସେ ସରକାରୀ ଅର୍ଥକୁ ତାଙ୍କ ପତ୍ନୀ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ । ତାଙ୍କ ନାମର ଦୁଇଟି ଅଭିଯୋଗ ରହିଛି । ସେ ଗିରଫ ହୋଇ ଏବେ ଜେଲ୍ ରେ ଅଛନ୍ତି ।
ଏହି ପରିପ୍ରେକ୍ଷୀରେ ୧୫ କୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ରଖି ଗିରଫ ଏବଂ ସସପେଣ୍ଡ ହୋଇଥିବା ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବିରୋଧରେ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନକୁ ଏବେ ଅପେକ୍ଷା କରାଯାଇଛି ।