ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ଆସାମ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ଏବଂ ଆସାମରେ ୩ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବ । ୫ ଟି ଯାକ ରାଜ୍ୟର ଭୋଟ ଗଣତି ମେ ୨ ତାରିଖରେ ହେବ ।
ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ପାଇଁ ୮ ଟି ପର୍ଯ୍ୟାୟରେ ଭୋଟଗ୍ରହଣ ମାର୍ଚ୍ଚ ୨୭ ରୁ ଆରମ୍ଭ ହୋଇ ଏପ୍ରିଲ୍ ୨୯ ରେ ସରିବ ।
ପ୍ରଥମ ପର୍ଯ୍ୟାୟ: ୩୦ ଆସନ, ମାର୍ଚ୍ଚ ୨୭ ଭୋଟ
ଦ୍ୱିତୀୟ ପର୍ଯାୟ: ୩୦ ଆସନ, ଏପ୍ରିଲ୍ ୧ ଭୋଟ
ତୃତୀୟ ପର୍ଯ୍ୟାୟ: ୩୧ ଆସନ, ଏପ୍ରିଲ୍ ୬ ଭୋଟ
ଚତୁର୍ଥ ପର୍ଯ୍ୟାୟ: ୪୪ ଆସନ, ଏପ୍ରିଲ୍ ୧୦ ଭୋଟ
ପଞ୍ଚମ ପର୍ଯ୍ୟାୟ: ୪୫ ଆସନ,ଏପ୍ରିଲ୍ ୧୭ ଭୋଟ
ଷଷ୍ଠ ପର୍ଯ୍ୟାୟ: ୪୩ ଆସନ, ଏପ୍ରିଲ୍ ୨୨ ଭୋଟ
ସପ୍ତମ ପର୍ଯ୍ୟାୟ: ୩୬ ଆସନ, ଏପ୍ରିଲ୍ ୨୬ ଭୋଟ
ଅଷ୍ଟମ ପର୍ଯ୍ୟାୟ: ୩୫ ଆସନ, ଏପ୍ରିଲ୍ ୨୯ ଭୋଟ
୧୨୬ ଆସନ ବିଶିଷ୍ଟ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ମାର୍ଚ୍ଚ ୨୭ ତାରିଖରେ ଅନୁଷ୍ଠିତ ହେବ । ଏପ୍ରିଲ୍ ୧ ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ୍ ୬ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ ।
କେରଳ(୧୪୦), ତାମିଲନାଡୁ(୨୩୪) ଏବଂ ପୁଡୁଚେରୀ(୩୦)ରେ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏପ୍ରିଲ୍ ୬ ତାରିଖରେ ଭୋଟଗ୍ରହଣ ହେବ ।
୪ଟି ଯାକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ସମୁଦାୟ ୮୨୪ ବିଧାନସଭା ଆସନ ପାଇଁ ଏହି ନିର୍ବାଚନ ହେବ । ୨.୬ ଲକ୍ଷ ବୁଥ୍ ରେ ୧୮. ୬୮ କୋଟି ଭୋଟର ମତଦାନ ସାବ୍ୟସ୍ତ କରିବେ ।
କୋଭିଡ୍ କଟକଣା ଓ କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନ କରାଇବାକୁ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଡୋର ଟୁ ଡୋର କ୍ୟାମ୍ପନ୍ ୫ ଜଣରେ ସୀମିତ ରଖାଯାଇଛି । ସବୁ ପୋଲିଂ କର୍ମଚାରୀଙ୍କୁ କରୋନା ଟିକା ଦେବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।