ଭୁବନେଶ୍ୱର: କଟକ ସଦର ବ୍ଲକ୍ ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବିକାଶ ଚନ୍ଦ୍ର ଭୂୟାଁ ଭିଜିଲାନସ୍ ହାବୁଡ଼ରେ ପଡ଼ିଛନ୍ତି । ତାଙ୍କ ସମ୍ପତ୍ତି ତାଲିକା ଦେଖିବା ପୂର୍ବରୁ ଭୁବନେଶ୍ୱର ସୌଭାଗ୍ୟନଗରସ୍ଥିତ ତାଙ୍କ ଘର ଉପରେ ଟିକେ ନଜର ପକାଇ ଦିଅନ୍ତୁ । ବାବୁଙ୍କର ଏହା ବାସସ୍ଥାନ । ରାଜାରାଜୁଡାଙ୍କ ପ୍ରାସାଦଠାରୁ ଏହା କୌଣସିଥିରେ କମ୍ ନୁହଁ ।
ସୌଭାଗ୍ୟନଗରରେ ୩୨୦୦ ବର୍ଗଫୁଟ ଜାଗା ଉପରେ ଏହି ଆଲିସାନ କୋଠା ନିର୍ମାଣ କରିଛନ୍ତି ଭୂୟାଁ ବାବୁ । ଇଣ୍ଟେରିୟର୍ ଡିଜାଇନ୍ ଆଖିକୁ ଖୁସି କଲା ଭଳି । ଖାଲି ସେତିକି ନୁହେଁ, ଭୁବନେଶ୍ୱର ଓ କଟକର ମୁଖ୍ୟ ଜାଗାମାନଙ୍କରେ ତାଙ୍କର ଅଛି ୭ ଟି ପ୍ଲଟ୍ । ପ୍ଲଟ୍ ପକାଇଥିବା ଜାଗାଗୁଡ଼ିକ ହେଲା ସୌଭାଗ୍ୟ ନଗର, ବରମୁଣ୍ଡା, ଆଇଗିଣିଆ, ପ୍ରତାପନଗରୀ(୨ଟି), କଟକ ସଦର ଏବଂ ବାଲିସାହି । ଏହି କୋଠା ଓ ପ୍ଲଟ୍ ଗୁଡ଼ିକର ମୂଲ୍ୟ ଆକଳନ ସରିନାହିଁ ।
ଭୂୟାଁ ବାବୁଙ୍କ ଘରେ ୩୮ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଅଛି । ବ୍ୟାଙ୍କରେ ଡିପୋଜିଟ୍ ଅଛି ୧୨ ଲକ୍ଷ ୬୨ ହଜାର ଟଙ୍କା । ଦୁଇ ପୁଅ ଝିଅଙ୍କ ଇଞ୍ଜିନିୟରିଂ ଓ ମେଡିକାଲ୍ ପଢ଼ା ବାବଦରେ ଖର୍ଚ୍ଚ କରିଛନ୍ତି ପ୍ରାୟ କୋଟିଏ ଟଙ୍କା । ଗୋଟେ ଡଷ୍ଟର୍ କାର୍ ଏବଂ ୩ ଟି ଦୁଇଚକିଆ ଯାନ ରଖିଛନ୍ତି । କ୍ରିପ୍ଟୋ କରେନ୍ସିରେ ବି ଗୁଡ଼ାଏ ଇନଭେଷ୍ଟମେଣ୍ଟ କରିଛନ୍ତି । ଆଉ କୁଆଡ଼େ କେତେ ସମ୍ପତ୍ତି ଅଛି ଭିଜିଲାନସ୍ ତାହାର ଖୋଳତାଡ଼ ଜାରି ରଖିଛି ।

ଏ ବାବୁ ହେଉଛନ୍ତି ପ୍ରଦୀପ କୁମାର ଚନ୍ଦ୍ରକାର । ନୂଆପଡ଼ା ଜିଲ୍ଲା ଭବାନୀପାଟଣା ସେଣ୍ଟ୍ରାଲ୍ କୋଅପରେଟିଭ୍ ବ୍ୟାଙ୍କ, କୋମନା ବ୍ରାଞ୍ଚରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଭାବେ ଚାକିରି କରିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଆଜି ଭିଜିଲାନସ୍ ତାଙ୍କ ଘର ଓ ଅଫିସ ଉପରେ ଚଢ଼ଉ କରିଥିଲା । ତାଙ୍କର ଓ ପରିବାରର ଏତିକି ସମ୍ପତ୍ତି ଏ ପର୍ଯ୍ୟନ୍ତ ଠାବ ହୋଇଛି ।
ନୂଆପଡ଼ା ବେଲଟୁକୁରିଠାରେ ଦୁଇଟି ଦି ମହଲା କୋଠା, ଗୋଟିଏ ନିର୍ମାଣାଧୀନ କୋଠା, ଖରିଆଳ ଏବଂ ନୂଆପଡ଼ାରେ ୯ଟି ପ୍ଲଟ୍, ଏକାଧିକ ବ୍ୟାଙ୍କ ଓ ପୋଷ୍ଟାଲ୍ ଡିପୋଜିଟ୍, ଇନସୁରାନ୍ସ ପଲିସି, ଗୋଟିଏ କାର୍, ଗୋଟିଏ ଟ୍ରାକ୍ଟର ଏବଂ ଗୋଟିଏ ବାଇକ୍ । ଚଢ଼ଉ ଜାରି ରହିଥିବାରୁ ଭିଜିଲାନ୍ସର ପରବର୍ତ୍ତୀ ରିପୋର୍ଟକୁ ଅପେକ୍ଷା କରାଯାଇଛି ।








