ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିି ଯାଇଥିଲା । ପୋଷ୍ଟମର୍ଟମ ହେବାର ୬ ଘଣ୍ଟା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଡା ଦେହରୁ କିରୋସିନୀ ଗନ୍ଧ ଆସୁଥିଲା । ପାକସ୍ଥଳୀ ଖାଲି ଥିଲା ଏବଂ ଦୁର୍ଗନ୍ଧ ନ ଥିଲା ।
ଏହା ହେଉଛି ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ । କଟକ ମର୍କତନଗର ଥାନା ଆଜି ଏହି ପୋଷ୍ଟମର୍ଟମ ରିପୋର୍ଟ ସୌମ୍ୟଙ୍କ ପରିବାରକୁ ଦେଲା ପରେ ସାର୍ବଜନୀନ ହୋଇଛି । ଆଉ ଏହା ନିଃସନ୍ଦେହ ଯେ ସୌମ୍ୟ ମୃତ୍ୟୁ ଘଟଣାର ଅନେକ ରହସ୍ୟ ଖୋଲିଦେଉଛି ଏହି ରିପୋର୍ଟ । ଗଜପତି ପୁଲିସର ଭୂମିକାକୁ ମଧ୍ୟ ଏହା ଅଧିକ ସନ୍ଦେହ ଘେରକୁ ଟାଣିଆଣିଛି ।
ଗୋଟିଏ ନିବୁଜ କୋଠରୀରେ ଜଣେ ମଣିଷ ଦେହରେ ଅଚାନକ ନିଆଁ ଲାଗି ଶରୀର ୯୫ ପ୍ରତିଶତ ପୋଡିଲା ବେଳେ ପାରିପାଶ୍ୱିର୍କ ଅବସ୍ଥା କ’ଣ ହୋଇଥିବ ତାହା ଯେ କେହି ଠଉରେଇପାରିବେ । ନିଶ୍ଚିତ ଭାବେ ସେହି ଘର ଓ ଆଖପାଖ ଦୁର୍ଗନ୍ଧରେ ଫାଟି ପଡୁଥିବ । ଆଉ କିରୋସିନୀ ନିଆଁର ଧୂଆଁରେ କୋଠରୀ କାନ୍ଥବାଡ କଳା ମାଡ଼ିଯିବ । ଦୁର୍ଘଟଣାର ଶିକାର ହୋଇ ନିଆଁରେ ପୋଡୁଥିବା ମଣିଷଟି ଜୀବନ ବଞ୍ଚାଇବା ପାଇଁ ସେ ଘର ଦୁଲୁକେଇଥିବ ।
ମାତ୍ର ସୌମ୍ୟଙ୍କ କ୍ଷେତ୍ରରେ ସେଭଳି ହୋଇଥିଲା କି? ତାଙ୍କ ସରକାରୀ ବାସଭବନ ଅକରାନ୍ସ ସ୍ପଟ୍ ବୋଲି ପୁଲିସ ଯଦି ନିଶ୍ଚିତ ତେବେ ଘଟଣାର ଚିହ୍ନବର୍ଣ୍ଣ, ଗନ୍ଧ ଗଲା କୁଆଡ଼େ? ନିଆଁର ଧାସ ସେହି ଘରେ ଥିବା ମଶାରୀରେ ଲାଗିଥିବା ପୁଲିସ ଦେଖିଲା । ସୌମ୍ୟଙ୍କ ଶରୀରକୁ ୯୫ ପ୍ରତିଶତ ପୋଡୁଥିବା ନିଆଁର ଧାସ ତାହେଲେ ଖାଲି କ’ଣ ମଶାରୀକୁ ଡରେଇଥିଲା?
ପୁଣି, ଘରର କାନ୍ଥବାଡକୁ କିରୋସିନୀ ନିଆଁ ସାମାନ୍ୟ ଛୁଇଁଲାନି କିପରି? କାନ୍ଥର ରଙ୍ଗ ଯେମିତି ଥିଲା ସେମିତି ରହିଗଲା କେମିତି? ନିଆଁର ଧାସ କ’ଣ ଟିକେ ବି ବାଜିଲାନି? ତଦନ୍ତକାରୀ ଅଧିକାରୀ ତଥା ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ ଏବଂ ଗଜପତି ଏସପି ତପନ ପଟ୍ଟନାୟକ ସେଭଳି ନିଆଁର ଅଲୌକିକ ଯାଦୁ ଲୋକଙ୍କୁ ଟିକେ ବୁଝାଇ ଦେବେ କି?
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି ହେଲା, ସୌମ୍ୟରଞ୍ଜନ ଜଳିଥିବା ସଂପୃକ୍ତ କୋଠରୀଟିକୁ ପୁଲିସ କାହିଁକି ସିଲ୍ କଲାନି? ସେ ଦୁର୍ଘଟଣା ହେଉ କି ହତ୍ୟା ହେଉ, ଅକରାନ୍ସ ସ୍ପଟ୍ ଜାଗାଟିକୁ ସିଲ୍ କରିବା ପୁଲିସ ପାଠରେ ଅଛି ନା ନାହିଁ? ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଗତ ଏପ୍ରିଲ୍ ମାସରେ ବଲାଙ୍ଗୀର ଯାଇଥିଲେ ପରୀକ୍ଷା ଦେବାକୁ । ସେଠି ହଷ୍ଟଲ୍ ରୁମ୍ ନଂ ୧ ରେ କିଛି ଦିନ ରହିଥିଲେ । ପୁଲିସ ସେଠାକୁ ଯାଇ ହଷ୍ଟେଲ୍ ରୁମ୍ ସିଲ୍ କଲା, ଅଥଚ ମୁଖ୍ୟ ଘଟଣାସ୍ଥଳକୁ ସିଲ୍ ନ କରିବାର ରହସ୍ୟ କ’ଣ?
ରୋଷେୟାଙ୍କ ବୟାନ ଅନୁଯାୟୀ, ସୌମ୍ୟ ପୋଡୁଥିବା ବେଳେ ଚିତ୍କାର ଶୁଣି ସେ ଧାଇଁ ଆସିଥିଲେ ଏବଂ ବାଥରୁମ୍ ରୁ ପାଣି ଆଣି ଢ଼ାଳିଥିଲେ । ପତ୍ନୀ ବିଦ୍ୟାଭାରତୀ ସେତେବେଳେ କ’ଣ କରୁଥିଲେ ବୋଲି ଗଣମାଧ୍ୟମର ପ୍ରଶ୍ନରେ ଥତମତ ହୋଇଥିଲେ ରୋଷେୟା । ସ୍ତ୍ରୀ ସାମନାରେ ସ୍ୱାମୀ ଆକସ୍ମିକ ଭାବେ କିରୋସିନୀ ନିଆଁରେ ୯୫ ପ୍ରତିଶତ ପୋଡିଯିବା ସମ୍ଭବ କି? ପାଖରେ ଥିବା ରୋଷେୟା ବି ଏତେ ଡେରିରେ ଜାଣିଲେ କେମିତି? ରୋଷେୟା ସତ କହୁଛନ୍ତି ବୋଲି ଏସପି ସାହେବ ସାର୍ଟିଫିକେଟ୍ ଦେଇଦେଲେ କେମିତି?
ସମଗ୍ର ମାମଲାରେ ଗଜପତି ପୁଲିସ ଏବଂ ସହଯୋଗକାରୀ କ୍ରାଇମବ୍ରାଞ୍ଚ ଟିମ୍ ର ଭୂମିକା ସନ୍ଦେହଜନକ ହୋଇପଡ଼ିଥିବା ବେଳେ ଏବେ ମାମଲାର ପରବର୍ତ୍ତୀ ଅଧ୍ୟାୟକୁ ଅପେକ୍ଷା କରାଯାଇଛି । କେବଳ ବିଦ୍ୟାଭାରତୀକୁ ଗିରଫ କରି ପୁଲିସ ତଦନ୍ତ ସାରିଦେବ ବୋଲି କିଛି ମହଲ ଆଶଙ୍କା କରୁଛନ୍ତି ।
କାରଣ ମାମଲାର ଦୁଇ ନମ୍ବର ଅଭିଯୁକ୍ତ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଇତିମଧ୍ୟରେ ପୁଲିସର ସୁନାପୁଅ ହୋଇଯାଇଛନ୍ତି । ବିଦ୍ୟାଭାରତୀଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନ ଥିଲା ଏବଂ ତାଙ୍କୁ ସେ ଜାଣି ବି ନ ଥିଲେ ବୋଲି ଗଜପତି ଏସପି ତପନ ପଟ୍ଟନାୟକ ତାଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ଘଟଣାର ୧୧ ଦିନ ପରେ ଡିଏଫଓଙ୍କୁ ୩ ଘଣ୍ଟା ଜେରା କରିବା ପରେ ଏସପି ସାହେବ ଏହି ନିର୍ଣ୍ଣୟରେ ପହଞ୍ଚିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।