ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଶକ୍ତି ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୩ ମସିହା ନଭେମ୍ବରରେ ସୁରେଶ ମହାପାତ୍ରଙ୍କ ଅବସର ପରଠୁ ଓଇଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା ।
ପ୍ରଦୀପ ଜେନା ହେଉଛନ୍ତି ୧୯୮୯ ବ୍ୟାଚ୍ ର ଆଇଏଏସ୍ । ୨୦୨୩ ମସିହା ଫେବ୍ରୁଆରୀ ୨୬ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେହିବର୍ଷ ଡିସେମ୍ବରରେ ତାଙ୍କର ଚାକିରି କାଳ ସରୁଥିଲା । ମାତ୍ର ବିଜେଡି ସରକାର ତାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଚାକିରିକୁ ୬ ମାସ ବୃଦ୍ଧି କରିଥିଲେ । ୨୦୨୪ ଜୁନ୍ ୩୦ରେ ଶ୍ରୀ ଜେନା ଚାକିରିରୁ ଅବସର ଗ୍ରହଣ କରିଥିଲେ ।
ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ପ୍ରଦୀପ ଜେନାଙ୍କର ଶକ୍ତି କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଛି । ଦୀର୍ଘ ଦିନ ଧରି ସେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ ।







