ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଜି ଉନ୍ମୋଚିତ ହୋଇଛି ରାଜ୍ୟସରକାରଙ୍କ ମୁଖପତ୍ର “ପ୍ରଗତି ପ୍ରବାହ”। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକା ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ। “ପ୍ରଗତି ପ୍ରବାହ”ର ଉନ୍ମୋଚନ ସମୟରେ ଝାରସୁଗୁଡା ଜିଲ୍ଲାର ଲଖନପୁର ଗ୍ରାମର ଜଣେ ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶି ମଧ୍ୟ ଉପସ୍ଥିତ ଥିଲେ। ଏହି ପୁସ୍ତିକାରେ ହୃଦାନନ୍ଦଙ୍କ ସଫଳ କାହାଣୀ ଉଲ୍ଲେଖ ଅଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ହୃଦାନନ୍ଦ ବିଶିଙ୍କୁ ସମ୍ମାନିତ କରିବା ସହିତ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ। ଏହା ସହିତ ଆଗକୁ କିଭଳି ଆହୁରି ସରକାରଙ୍କ ହିତାକାଂକ୍ଷୀ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପି.ଏମ କିଷାନ ଓ ‘ସିଏମ- କିଷାନ’ ମାଧ୍ୟମରେ ଆହୁରି ନିଜର କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ।
“ଆମ ସରକାର ଚାଷୀ ମାନଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ଚାଷୀ ଟିଏ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ ଙ୍କ ” ଆତ୍ମନିର୍ଭରଶୀଳ ଭାରତ” ର ଉଦ୍ଦେଶ୍ୟକୁ ପୂରଣ କରୁଛି। ଚାଷୀ ନିଜ ଫସଲ ଦ୍ୱାରା ଗୋଟିଏ ପରିବାର ନୁହେଁ ଅନେକ ପରିବାର ଚଳାଇବାର କ୍ଷମତା ରଖୁଛି, ଯାହାକି ଆମ ଦେଶର ପ୍ରକୃତ ଷ୍ଟାର୍ଟ-ଅପ ବୋଲି ମୁଖ୍ୟମନ୍ତ୍ରୀ ସଫଳ ଚାଷୀ ଶ୍ରୀ ବିଶି ଙ୍କ ସହ କଥା ହୋଇ ତାଙ୍କୁ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଝାରସୁଗୁଡା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।