ଭୁୁବନେଶ୍ୱର: ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି ପୁଣି ଦେଖିବାକୁ ମିଳିଛି । ନିଜ ନିର୍ବାଚନମଣ୍ଡଳୀ ଚିଲିକା ଅନ୍ତର୍ଗତ ବାଲୁଗାଁଠାରେ ବିଜେପିର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ରାସ୍ତା ମଝିରେ ପିଟିଛନ୍ତି । ସୋସିଆଲ୍ ମିଡ଼ିଆରେ ବିଧାୟକଙ୍କ ଦାଦାଗିରି ଭାଇରାଲ୍ ହେବା ପରେ ହଇଚଇ ସୃଷ୍ଟି ହୋଇଛି । ବିଧାୟକଙ୍କ ଗିରଫ ଦାବିରେ ବାଲୁଗାଁ ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଛି । ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।
ସେପଟେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କ ଏତାଦୃଶ ଆଚରଣ ପାଇଁ କଠୋର ହୋଇଛନ୍ତି । ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରିଛନ୍ତି । ବିଜେଡ଼ିରୁ ତାଙ୍କୁ ତୁରନ୍ତ ନିଲମ୍ବିତ କରାଗଲା ବୋଲି ସଭାପତିଙ୍କ ଦସ୍ତଖତରେ ଅଫିସ୍ ଅର୍ଡର ବାହାରିଛି । ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି।








