ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ଭାରତର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।
ଜୁନ୍ ୧୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୨୯ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ଜୁନ୍ ୩୦ ନାମାଙ୍କନପତ୍ର ଯାଞ୍ଚ ହେବ ଏବଂ ଜୁଲାଇ ୨ ପର୍ଯ୍ୟନ୍ତ ନାମାଙ୍କନପତ୍ର ପ୍ରତ୍ୟାହାର କରାଯାଇପାରିବ । ଆବଶ୍ୟକ ପଡ଼ିଲେ ଜୁଲାଇ ୧୮ ରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ୨୧ ରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ହେବ ।
ସୂଚନାଥାଉକି, ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ପୂରୁଛି । ତେଣୁ ତାହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ରାଷ୍ଟ୍ରପତି ନିର୍ବାଚନରେ ୭୭୬ ସାଂସଦ ଏବଂ ୪୧୨୦ ବିଧାୟକ ଭାଗ ନେବେ । ଜଣେ ସାଂସଦଙ୍କର ଭୋଟ ମୂଲ୍ୟ ୭୦୦ ହୋଇଥିବା ବେଳେ ପ୍ରତି ରାଜ୍ୟର ବିଧାୟକଙ୍କ ଭୋଟ ଭିନ୍ନ ।