ଭୁବନେଶ୍ୱର: କିଛି ଦିନ ତଳେ ଏକ ଜାତୀୟ ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠାରେ ମିଲ୍କ ବ୍ୟାଙ୍କ ଉପରେ ଏକ ଖବର ପ୍ରକାଶ ପାଇଥିଲା । ହରିଆଣାର ରୋହତକଠାରେ ପ୍ରତିଷ୍ଠା ହୋଇଥିବା ଏକ ମିଲକ ବ୍ୟାଙ୍କ ଅନୁ୍ୟନ ୨୦୦ ଶିଶୁଙ୍କୁ ମାଆ କ୍ଷୀର ଯୋଗାଇବାରେ ସାହାଯ୍ୟ କରୁଛି । ( ଯେଉଁ ଛୁଆ ମାନେ ଜନ୍ମ ସମୟରେ ସେମାନଙ୍କ ମାଆକୁ ହରାଇଥାନ୍ତି କିମ୍ବା କୌଣସି କାରଣରୁ ପର୍ଯ୍ୟାପ୍ତ ପରିମାଣର ମାଆ କ୍ଷୀର ପାଇବାରୁ ବଞ୍ଚିତ ହୋଇଥାନ୍ତି)। ସୂଚନା ଅନୁସାରେ ଅନୁଷ୍ଠାନରେ ଏହି ଯୋଜନା ଦ୍ୱାରା ମାସକୁ ପ୍ରାୟ 25 ଲିଟର କ୍ଷୀର ସଂଗ୍ରହ ହୋଇପାରୁଛି ଏବଂ ସେଥିରୁ 21 ଲିଟର କ୍ଷୀର ବ୍ୟବହାରରେ ଲାଗିଯାଉଛି । ଆଗକୁ ଏହା ବ୍ୟାପକ ଆକାରରେ କରାଯାଇପାରିବ ବୋଲି ଯୋଜନା ରଖାଯାଇଛି।
ତେବେ ଏହି ଯୋଜନା ନୂଆ ନୁହଁ । ଏସିଆ ମହାଦେଶର ପ୍ରଥମ milk bank ୧୯୮୯ ମସିହାରେ ମିମ୍ବାଇର Sion Hospital( Lokmanya tilak Municipal General Hospital) ରେ Dr. Armida Fernandez ଙ୍କ ତତ୍ୱାବଧାନରେ ଖୋଲାଯାଇଥିଲା, ଯାହା ଆଜିକା ଦିନରେ ଗୁଜରାଟ, ଗୋଆ, ଡାମନ ଡିଉ, ମଧ୍ୟପ୍ରଦେଶ ଭଳି ରାଜ୍ୟଓ କେନ୍ଦ୍ର ଶାସିତ ଅଂଚଳରେ ପରିବ୍ୟାପ୍ତ। ଶିଶୁଙ୍କ ଜୀବନ ବଞ୍ଚାଇ ରଖିବାରେ ଏହା ଈଶ୍ୱରଙ୍କ ବରଦାନ ସଦୃଶ।
ତେବେ ୨୦୨୨ ମାର୍ଚ୍ଚ ମାସରେ ତତ୍କାଳୀନ BJD ସରକାରଙ୍କ ଅମଳରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହାୟତାରେ ଓଡ଼ିଶାରେ ମଧ୍ୟ ଏହି Milk Bank କ୍ୟାପିଟାଲ ହସ୍ପିଟାଲ ରେ ଆରମ୍ଭ କରାଯାଇଥିଲା ଏବଂ ବଡ଼ ଜାକଜମକରେ ଉଦ୍ଘାଟନ କରାଯାଇଥିଲା। ଆଗକୁ ଏହାକୁ ବଡ଼ ବଡ଼ NGO ସହାୟତାରେ ବ୍ୟାପକ କରାଯିବ ବୋଲି ଯୋଜନା କରାଯାଇଥିଲା। ତେବେ ଏହାର ଅବସ୍ଥା ଏବେ କଣ, କେହି ବୁଝିଛନ୍ତି? ନା ସରକାର କିଛି ପଦକ୍ଷେପ ନେଉଛନ୍ତି ? ନା ତଥାକଥିତ ବଡ଼ ବଡ଼ NGO ଯେଉଁମାନେ ଆମେ ଓଡିଶାକୁ ସମ୍ଭାଳୁଛୁ ବୋଲି କହିହେଉଛନ୍ତି ସେମାନେ ଏହାର ବ୍ୟାପକତା ଓ ପରିଚାଳନା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି?
ଓଡିଶା ଭଳି ଆଦିବାସୀ ବହୁଳ ରାଜ୍ୟରେ ଏହାର ଆବଶ୍ୟକତା ବହୁତ ଥିବା ବେଳେ ସରକାରୀ ସ୍ତରରେ ଏହାର କାର୍ଯ୍ୟକାରିତା ତ୍ୱରାନ୍ୱିତ ହେବାର ଆବଶ୍ୟକତା ରହିଛି।
(ବାଲ୍ମିକୀ ପାତ୍ରଙ୍କ ରିପୋର୍ଟ)