ଭୁୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ(ପିଏସ୍) ଙ୍କ ଅମାପ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଛି । ଏ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକରେ ୩ କୋଟି ମୂଲ୍ୟର ଦୁଇଟି କୋଠା, ୧୪ଟି ପ୍ଲଟ୍, ବିପୁଳ ବ୍ୟାଙ୍କ ବାଲାନ୍ସ, ଏକାଧିକ ସେଭିଙ୍ଗ୍ ପଲିସି, ଦେଢ଼ କେଜିର ସୁନା ଅଳଙ୍କାର ଆଉ ନଗଦ ୨୫ ଲକ୍ଷ ଟଙ୍କା ଠାବ ହୋଇଛି । ପୁଣି ଆଗକୁ କ’ଣ ବାହାରୁଛି ଦେଖାଯିବ ।
ଏହି କୁବେର ତୃତୀୟ ଶ୍ରେଣୀ କର୍ମଚାରୀଜଣଙ୍କ ହେଉଛନ୍ତି ବିରଞ୍ଚି ନାରାୟଣ ସାହୁ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କ ପ୍ରାଇଭେଟ୍ ସେକ୍ରେଟାରୀ। ଭିଜିଲାନସ୍ ବିଭାଗ ପକ୍ଷରୁ ଆଜି ତାଙ୍କ ଘର ଚଢ଼ଉରୁ ଏହି ବିପୁଳ ସମ୍ପତ୍ତିର ସନ୍ଧାନ ମିଳିଛି ।
ବିରଞ୍ଚିଙ୍କ ଭୁବନେଶ୍ୱର, କଟକ ଘର ସମେତ ତାଙ୍କ ସମ୍ପର୍କୀୟମାନଙ୍କ ଘରକୁ ମିଶାଇ ମୋଟ ୬ ଟି ଜାଗାରେ ଏକକାଳୀନ ଆଜି ସକାଳୁ ଚଢ଼ଉ କରାଯାଇଥିଲା । ଭିଜିଲାନସ୍ ଏସପି ଆର.ପ୍ରକାଶଙ୍କ ନେତୃତ୍ୱରେ ଏହି ଚଢ଼ଉରେ ସାମିଲ ଥିଲେ ୪ ଡିଏସପି, ୧୩ ଇନସପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ । ରାତି ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲେ ମଧ୍ୟ ସମ୍ପତ୍ତି ଖୋଳା ସରିନାହିଁ । ଯେତେ ଖୋଳିଲେ ସେତେ ବାହାରୁଛି ।
ଭୁୁବନେଶ୍ୱର ନୀଳାଦ୍ରି ବିହାର ଘରେ ଥିବା ତାଙ୍କ ଦୁଇମହଲା ବିଶାଳ କୋଠାର ଚାକଚକ୍ୟ, ଘରକରଣା, ଆଲମାରିରେ ଥିବା ଗହଣାଗାଣ୍ଠି ଦେଖିଲା ଭଳି ବୋଲି ଚଢ଼ଉରେ ସାମିଲ ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ବିପୁଳ ବ୍ୟାଙ୍କ ବାଲାନ୍ସ, ଯାବତୀୟ ସେଭିଙ୍ଗସ୍ କାଗଜପତ୍ର ସମେତ ଘରୁ ତାଙ୍କର ବଣ୍ଡଲ୍ ବଣ୍ଡଲ୍ ଟଙ୍କା ମିଳିଥିଲା । ଏତେ ଟଙ୍କା ଗଣିବା ପାଇଁ ଭିଜିଲାନସ୍ ଅଧିକାରୀମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା ।
ବିରଞ୍ଚିଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ମିଳିଥିବା ବେଳେ ତାଙ୍କ ସଳାଙ୍କ ଘରୁ ନଗଦ ମିଳିଥିଲା ୧୩ ଲକ୍ଷ ଟଙ୍କା । ଘର ଭିତରେ ଭିଜିଲାନସ୍ ଅଧିକାରୀମାନେ ରେଡ୍ କରୁଥିବା ବେଳେ ବିରଞ୍ଚି ଅତର୍ଚ୍ଛାରେ ଘର ଝରକା ବାଟେ କିଛି ଟଙ୍କା ବଣ୍ଡଲ୍ ବାହାରକୁ ଫୋପାଡ଼ି ଦେଇଥିବା କୁହାଯାଉଛି ।
ବାବୁଙ୍କର ଏତେ ପଇସା ଯେ ମଉଜମସ୍ତି ପାଇଁ ପରିବାରକୁ ଧରି ବିଦେଶ ଭ୍ରମଣ ବି କରୁଥିଲେ । ଦୁଇଥର ବିଦେଶ ଭ୍ରମଣରେ ଯାଇଥିବାର କାଗଜପତ୍ର ତାଙ୍କ ଘରୁ ଜବତ କରିଛନ୍ତି ଭିଜିଲାନସ୍ ଅଧିକାରୀ ।
ବିରଞ୍ଚି ଏତେ ସମ୍ପତ୍ତି କେଉଁଠୁ ଅର୍ଜିଲେ ତାହା ସମସ୍ତଙ୍କୁ ତାଜୁବ କରିଛି । ଜଣେ ତୃତୀୟ କର୍ମଚାରୀ ତାଙ୍କ ଦରମାରେ ଏତେ ସମ୍ପତ୍ତି କରିବା ସମ୍ଭବ ନୁହେଁ । ତେଣୁ ଏହା ଯେ ଅସାଧୁ ଅର୍ଜିତ ସମ୍ପତ୍ତି ତାହା ସ୍ପଷ୍ଟ ହୋଇଯାଇଛି । ତେବେ ଗଣମାଧ୍ୟମରେ ବିରଞ୍ଚି ନିଜର ବେନାମୀ ସମ୍ପତ୍ତିକୁ ନେଇ ଲଜ୍ଜିତ ହେବା ବଦଳରେ ଫୁଟାଣି ଦେଖାଇଛନ୍ତି । ଯାହା କହିବେ କୋର୍ଟରେ କହିବେ ବୋଲି ଦମ୍ଭ ମାରିଛନ୍ତି ।
ଅନ୍ୟପକ୍ଷରେ କୁବେର କର୍ମଚାରୀ ବିରଞ୍ଚି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ହୋଇଥିବାରୁ ବ୍ୟବସ୍ଥା ଉପରେ ଭୟଙ୍କର ସନ୍ଦେହ ସୃଷ୍ଟି କରିଛି । ସରକାରୀ ଚାକିରି ପାଇଁ ପ୍ରାର୍ଥୀ ଚୟନ କରୁଥିବା ଷ୍ଟାଫ୍ ସିଲେକ୍ସନ୍ କମିଶନରେ ଲାଞ୍ଚ କାରବାର ଚାଲେ ବୋଲି ଅନେକଙ୍କ ଆଶଙ୍କା ତାହା ହେଲେ କ’ଣ ସତ କି ବୋଲି ପ୍ରଶ୍ନ ଉଠିଛି ।
ତେବେ କମିଶନ ସଦସ୍ୟ ପ୍ରଫେସର ଜଗନ୍ନାଥ ଲେଙ୍କା ନିଜ ସଫେଇରେ କହିଛନ୍ତି ଯେ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ସାହୁଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନ ଥିଲା । ପ୍ରାଇଭେଟ୍ ସେକ୍ରେଟାରୀଙ୍କର ଏଠି କିଛି କାମ ଥିଲା ବୋଲି ମୁଁ ଜାଣିନାହିଁ କି ତାଙ୍କର ଆବଶ୍ୟକତା ଅନୁଭବ କରିନାହିଁ । ସେ କେଉଁଠୁ ଏତେ ପଇସା ଆଣିଲେ ସେ ବିଷୟରେ ମୁଁ କିଛି କହିପାରିବି ନାହିଁ ବୋଲି ପ୍ରଫେସର ଲେଙ୍କା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ଷ୍ଟାଫ୍ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ବିରଞ୍ଚି ସାହୁଙ୍କ ସମ୍ପତ୍ତିରେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଏତେ ଟଙ୍କା ସେ କେଉଁଠୁ ଆଣିଲେ ତଦନ୍ତ ପରେ ଜଣାପଡ଼ିବ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।