-ସାରା ରାଜ୍ୟରେ ସକାଳ ୬ରୁ ରାତି ୮ ଦୋକାନ ଖୋଲା
-ରାତି ୮ରୁ ସକାଳ ୬ ନାଇଟ୍ କର୍ଫ୍ୟୁ
-ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ୍
ଭୁବନେଶ୍ୱର: ଧୀରେ ଧୀରେ ଅନଲକ୍ ପ୍ରକ୍ରିୟାକୁ ଆପଣୋଉଛନ୍ତି ରାଜ୍ୟ ସରକାର । ଅଗଷ୍ଟ ମାସ ପାଇଁ କଟକଣାକୁ ଆହୁରି କୋହଳ କରିଛନ୍ତି । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଛାଡ଼ିିଦେଲେ ବାକି ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗନ୍ୟ ଥିବାରୁ କଟକଣାକୁ ଅଧିକ କୋହଳ କରାଯାଇଛି । ଅଗଷ୍ଟ ମାସରେ ସାରା ରାଜ୍ୟରେ ଦୋକାନ ବଜାର ସକାଳ ୬ ରୁ ରାତି ୮ଟା ଯାଏଁ ଖୋଲା ରହିବ । ରାତି ୮ଟାରୁ ସକାଳ ୬ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । କେବଳ ଭୁବନେଶ୍ୱର, କଟକ ଓ ପୁରୀରେ ରହିବ ସପ୍ତାହାନ୍ତ ସଟଡାଉନ୍ । ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ନିଷ୍ପତ୍ତି କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଘୋଷଣା କରିଛନ୍ତି ।
ସାରା ରାଜ୍ୟରେ ମଲ୍, ସିନେମା ହଲ୍, ଥିଏଟର୍, ବାର୍, ରେଷ୍ଟୁରାଣ୍ଟଆଦି ଖୋଲିବାକୁ ଅନୁମତି ଦିଆଯାଇଛି । ସମ୍ପୂର୍ଣ୍ଣ କୋଭିଡ୍ କଟକଣା ସହ ୫୦% କ୍ଷମତାରେ ଏଗୁଡ଼ିକ ଚାଲିବ । ଖାଦ୍ୟ ପୁଡ଼ିଆ କିଣି ଘରକୁ ନେବାକୁ ପଡ଼ିବନି । ରେଷ୍ଟୁରାଣ୍ଟରେ ୫୦% ଲୋକ ବସି ଖାଇପାରିବେ । ସେହିଭଳି ରାସ୍ତାକଡ଼ ଜଳଖିଆ ଦୋକାନରେ ଛିଡ଼ା ହୋଇ ଲୋକମାନେ ଲୋକମାନେ ଜଳଖିଆ ଖାଇପାରିବେ । ସିନେମା ହଲ୍, ଥିଏଟର, ରେଷ୍ଟୁରାଣ୍ଟ ଆଦି ପ୍ରବେଶ ପାଇଁ ବୟସ୍କମାନଙ୍କୁ ଦୁଇଟି ଯାକ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ।
ସେହିଭଳି ଆମୋଦଦାୟକ ପାର୍କ, ଚିଡ଼ିଆଖାନା, ମ୍ୟୁଜିୟମ୍, ମୀନାବଜାର ଆଦି ଖୋଲିବ । ପର୍ଯ୍ୟଟକମାନଙ୍କୁ ସମୁଦ୍ରକୂଳରେ ବୁଲିବା ପାଇଁ ଅନୁମତି ଦିଆଯାଇଛି ।
ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ତେବେ ଯେତିକି ସିଟ୍ ସେତିକି ଲୋକ ବସି ଯାତ୍ରା କରିପାରିବେ । ଘରୋଇ ଗାଡ଼ି, ଟାକ୍ସି, ଅଟୋ ଆଦି ଚଳାଚଳ ପାଇଁ କିଛି କଟକଣା ନାହିଁ । ତେବେ ସମସ୍ତେ କୋଭିଡ୍ ନିୟମ ମାନିବାକୁ ବାଧ୍ୟ ।
ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କ ଉପରେ ଛାଡ଼ିଛନ୍ତି । କୋଭିଡ୍ ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଯାହା ନିଷ୍ପତ୍ତି ନେବେ । ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ସଂପୃକ୍ତ ପରିଚାଳନା କମିଟି ଉପରକୁ ଛଡ଼ାଯାଇଛି । ତେବେ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ମିଳିଲେ ମଧ୍ୟ ଭକ୍ତମାନେ କେବଳ ଦର୍ଶନ କରିପାରିବେ । ସେଠାରେ ଭୋଗ କରିପାରିବେ ନାହିଁ ।
ଅନ୍ୟପକ୍ଷରେ ଧାର୍ମିକ, ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇନି । ଏହା ଉପରେ କଟକଣା ପୂର୍ବଭଳି ଜାରି ରହିବ । ବାଣିଜି୍ୟିକ ମେଳା, ପ୍ରଦର୍ଶନ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି । ତେବେ ବ୍ୟବସାୟିକ ମିଟିଂ ଓ ଉଦଘାଟନ ଆଦି ପର୍ବ ପାଇଁ ସୀମିତ ସଂଖ୍ୟକ ଲୋକଙ୍କ ଯୋଗଦାନକୁ ଅନୁମତି ଦିଆଯାଇଛି ।
ବିିବାହ ଓ ଅନ୍ତେଷ୍ଟିକ୍ରିୟା କଟକଣା ପୂର୍ବଭଳି ଜାରି ରଖାଯାଇଛି । ବିବାହରେ ୨୫ ଜଣ ଏବଂ ଅନ୍ତେଷ୍ଟିକ୍ରିୟାରେ ୨୦ ଲୋକଙ୍କ ଯୋଗଦାନକୁ ଅନୁମତି ଦିଆଯାଇଛି । ଭୋଜିଭାତ ହୋଇପାରିବ ନାହିଁ । ଖାଦ୍ୟ ପୁଡ଼ିଆ ଦିଆଯାଇପାରିବ ।
ରାଜ୍ୟରୁ ଦ୍ୱିତୀୟ ଲହର କରୋନା ଯାଇନାହିଁ । ସମ୍ଭାବ୍ୟ ତୃତୀୟ ଲହର କରୋନା ପାଇଁ ବିଷେଷଜ୍ଞମାନେ ସତର୍କ କରିଥିବାରୁ ସମସ୍ତେ ସଜାଗ ରହିବାକୁ ପଡ଼ିବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି । କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ଅନୁପାଳନ କରି ସରକାରଙ୍କୁ ସହଯୋଗ ଜାରି ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।