ଭୁୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ଦିଲ୍ଲୀ ଫେରିଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସରକାରକୁ ନିଶାନା କରିଛନ୍ତି । ଏକାଧିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ରାଜ୍ୟରେ ସୁଶାସନ ନୁହେଁ, କୁଶାସନ ଚାଲିଛି ବୋଲି କଟାକ୍ଷ କରିଛନ୍ତି ପୁରନ୍ଦେଶ୍ୱରୀ ।
ରାଜ୍ୟର ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ଚିଟଫଣ୍ଡ ଦୁର୍ନୀତି, ପକ୍କାଘର, ପାନୀୟ ଜଳଯୋଗାଣ, ଜଳସେଚନ ସୁବିଧା, ଆୟୁଷ୍ମାନ୍ ଯୋଜନା, “କାଳିଆ’ ଟଙ୍କା ଆଦି ଅନେକ ପ୍ରସଙ୍ଗରେ ବିଜେଡ଼ି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିଜେପି ପ୍ରଭାରୀ । କହିଥିଲେ, ବିଜେଡ଼ି ନିର୍ବାଚନ ବେଳେ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରୁନାହିଁ । ୨୦୧୪ ଓ ୨୦୧୯ରେ ନିର୍ବାଚନରେ କଚା ଘରକୁ ପକ୍କା ଘର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଆହୁରି ୨ ଲକ୍ଷ କଚା ଘର ପକ୍କା କରିବାକୁ ବାକି ରହିଛି । ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ କାହିଁକି ଲାଗୁ ହୋଇନି ବୋଲି ପ୍ରଶ୍ନ କରି ରାଜ୍ୟର ଗରିବ ଲୋକେ କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ରାଜ୍ୟରେ ଠିକ୍ ଭାବେ ଲାଗୁ କରାଯାଉନି । ରାଜ୍ୟ ସରକାର “କାଳିଆ’ ଯୋଜନା ଲାଗୁ କରିଛନ୍ତି । ପିଏମକ କିଷାନ ଯୋଜନାରେ ୬ ହଜାର ଓ “କାଳିଆ’ ଯୋଜନାରେ ଚାଷୀମାନଙ୍କୁ ୪ ହଜାର ଟଙ୍କା ମିଳିବା କଥା । ମାତ୍ର “କାଳିଆ’ ଯୋଜନାରେ ଚାଷୀମାନେ ଟଙ୍କା ପାଉନାହାନ୍ତି । ପ୍ରଥମେ ୩୫ ଲକ୍ଷ ଚାଷୀ କଥା ସରକାର କହୁଥିଲେ । ଏବେ ୨୧ ଲକ୍ଷ ଚାଷୀ କଥା କହୁଛନ୍ତି । ଏହି ଅବଶିଷ୍ଟ ଚାଷୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ ପୁରନ୍ଦେଶ୍ୱରୀ ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବର୍ଷିଥିଲେ ପ୍ରଭାରୀ । ଏଠି ଆଇନଶୃଙ୍ଖଳା ବିଗିଡ଼ି ଯାଇଛି । ପ୍ରତିଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ଶିଶୁ ନିଖୋଜ ଘଟଣା ବଢ଼ିଚାଲିଛି । ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଧରିବାରେ ପୁଲିସର ନିଷ୍କ୍ରିୟତା ଓ ସରକାରଙ୍କ ନିରବତାକୁ ପ୍ରଶ୍ନ କରିଥିଲେ । ଏଥିସହ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇ ଏଥିରେ ବିଜେଡ଼ି ନେତାଙ୍କ ସଂପୃକ୍ତି ଥିବା କହିଥିଲେ ।
ବିଜେଡ଼ିର ଜବାବ
ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ବିଜେପି କର୍ମକର୍ତ୍ତାଙ୍କ ମନୋବଳ ବଢାଇବାପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି । ଏଭଳି ପ୍ରବଞ୍ଚନା ଓଡିଶାବାସୀଙ୍କ ନିକଟରେ କାମ ଦେବନାହିଁ। ରାଜ୍ୟ ବିଜେପି ପ୍ରଭାରୀଙ୍କ ସାମ୍ବାଦିକ ସମ୍ମିଳନୀର ଏଭଳି ଢ଼ଙ୍ଗରେ ଜବାବ ଦେଇଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
କହିଛନ୍ତି ଯେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଏଠାକୁ ଆସିଛନ୍ତି । ବିଶେଷକରି ବାଲେଶ୍ୱର ପରାଜୟ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି ।
ଡକ୍ଟର ପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଯଦି ଶ୍ରୀମତୀ ପୁରନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥାନ୍ତେ ତେବେ ଭଲ ହୋଇଥାନ୍ତା । ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା ବୃଦ୍ଧିପାଇଁ ଓଡିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଯେଉଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା ସେ ସଂକ୍ରାନ୍ତରେ ମତ ରଖିବାର ଥିଲା । ବିଜେପିର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ସାଧାରଣ ସଭାରେ ଜଣେ ମହିଳା ସମାଜସେବୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ଓ ସେଥିପାଇଁ ପୁଲିସ୍ରେ ଅଭିଯୋଗ ହୋଇଥିବା ନେଇ ବୋଧେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅବଗତ ନାହାନ୍ତି ।
ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାରେ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତିର ତଦନ୍ତ ସିବିଆଇ ଦ୍ୱାରା କରିବାଲାଗି ବିଜେପି ଲଗାତାର ଆନ୍ଦୋଳନ ଚଳାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଶ୍ରୀ ପାଙ୍ଗି ବିଜେପିରେ ଯୋଗଦେଲେ ଏବଂ ବିଜେପି ତାଙ୍କୁ ସ୍ୱାଗତ କରିବା ସହିତ ଟିକଟ ଦେଇ ନିର୍ବାଚନ ଲଢାଇଲା । ଓଡିଶା ବିଜେପି ବୋଧହୁଏ ତାଙ୍କ ରାଜ୍ୟ ପ୍ରଭାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିନାହାନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି ।
ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଘର ତିଆରି କରିଥିବାରୁ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ଓଡିଶାକୁ ୫ଟି ପୁରସ୍କାର ଦେଇଥିବା ନେଇ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅବଗତ ନଥିବା ଲକ୍ଷ୍ୟ କରାଯାଉଛି । ଏଭଳି ସ୍ଥିତିରେ ନିଜ ସ୍ତରରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଯେଭଳି ମିଛ କହୁଛନ୍ତି ଓଡିଶାବାସୀ ତାହାକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।