ଭୁବନେଶ୍ୱର: ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ଠକେଇ କାରବାରରେ ଦଲାଲି କରୁଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା ମୋଟର୍ସ ଏମଡି ପରିଚୟ ଦେଉଥିବା ଭାବୀ ଜ୍ୱାଇଁଙ୍କ ଜାଲ୍ ସାମ୍ରାଜ୍ୟର ସେ ଥିଲେ ଅନ୍ୟତମ ପୁରୋଧା । ନିଜ ନିର୍ବାଚନମଣ୍ଡଳୀର ବେକାର ଯୁବତୀମାନଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଉଥିଲେ ପ୍ରଦୀପ ପାଣିଗ୍ରାହୀ । ଆଶାୟୀଙ୍କମାନଙ୍କୁ ଜାଲ୍ ନିଯୁକ୍ତିପତ୍ର ବଦଳରେ ମୋଟା ଅଙ୍କ ଆଦାୟ କରାଯାଉଥିଲା । ବିଧାୟକ ନିଜ ସହଯୋଗୀମାନଙ୍କ ଜରିଆରେ ଏହି କାର୍ଯ୍ୟ ଅନାୟାସରେ କରୁଥିଲେ ।
କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁମର ଖୋଲିଛନ୍ତି । ଗୋପାଳପୁର ଅଞ୍ଚଳର ଠକେଇ ଯୁବକଯୁବତୀଙ୍କ ଅଭିଯୋଗ, ଆକାଶ ଠାକୁରଙ୍କୁ ଘନ ଘନ ଜେରା ତଥା ଆକାଶଙ୍କ ପିଏ ଡେଭିଡ୍ ପିଟରଙ୍କ ବୟାନ ଆଧାରରେ କ୍ରାଇମବ୍ରାଞ୍ଚ ଛାନଭିନ୍ ରୁ ମିଳିଥିବା ତଥ୍ୟର ଖୁଲାସା କରିଥିଲେ ଏଡିଜି । ଭାବୀ ଜ୍ୱାଇଁ ଆକାଶ ଠାକୁରଙ୍କୁ ଟାଟା ମୋଟର୍ସ ଏମଡି କହି ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀର ବେକାର ଯୁବକଯୁବତୀଙ୍କୁ ଚାକିରି କରାଇ ଦେବାର ଲୋଭ ଦେଇଥିଲେ ଏବଂ ଏ ବାବଦରେ ବିପୁଳ ଟଙ୍କା ଆଦାୟ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପ୍ରିୟଦର୍ଶୀ କହିଥିଲେ ।
ଠକେଇର ଶିକାର ହୋଇ ପୁଲିସର ଆଶ୍ରୟ ନେଇଥିବା ୬ ଜଣଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେଇଛନ୍ତି । ଅନ୍ୟ ୪ ଜଣଙ୍କଠାରୁ ଟଙ୍କା ଆଦାୟ କରିଛନ୍ତି ବିଧାୟକଙ୍କ ଖାସ୍ ସହଯୋଗୀ । ଖାଲି ଏହି ୬ ଜଣ ନୁହଁନ୍ତି, ଏହାର ତାଲିକା ବହୁତ ଲମ୍ବା । ଠକେଇର ଶିକାର ହୋଇ ଟଙ୍କା ହରାଇଥିବା ଏଭଳି ଅନେକ ଭୟରେ ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି । ତେବେ କାହାରିକୁ ଭୟ ନ କରି ଆଗକୁ ଆସିଲେ ସେମାନଙ୍କୁ ନିଶ୍ଚିତ ନ୍ୟାୟ ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।
ସେପଟେ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିବା କ୍ରାଇମବ୍ରାଞ୍ଚ ଆହୁରି ଅନେକ ତଥ୍ୟ ଓଗାଳିବାକୁ ଆଶା ବାନ୍ଧିଛି । ଠକେଇର ଚେର୍ ପର୍ଯ୍ୟନ୍ତ ପହଞ୍ଚିଥିବାକୁ ଲକ୍ଷ୍ୟ ରଖିଛି । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁର ଯାଇ ଟାଟା ମୋଟର୍ସରେ ଚାକିରି ଠକେଇର ଶିକାର ଆହୁରି କିଛି ଯୁବକଙ୍କୁ ପଚରାଉଚୁରା କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ଖାସ୍ ସହଯୋଗୀ ଜମ୍ବୁପାଣି ସାହୁ ଏବଂ ବୋରିଗାଁ ସରପଞ୍ଚ ବସନ୍ତ ସାହୁଙ୍କୁ ମଧ୍ୟ ଜେରା କରିଛି । ଏମାନଙ୍କ ଜରିଆରେ ପ୍ରଦୀପ ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ।
ସୂଚନାଯୋଗ୍ୟ, ଗତ ୪ ମାସରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଆସିଛି । ଜିଲ୍ଲାର ମଦ ମାଫିଆ ସୂର୍ଯ୍ୟ ସାହୁ, ରବି ସାହୁଙ୍କଠାରୁ ମୋଟା ଟଙ୍କା ଆସିଛି । ତେବେ ନିଜକୁ ସଚ୍ଚୋଟ ବୋଲାଇ ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି କହିଥିଲେ ପ୍ରଦୀପ ପାଣିଗ୍ରାହୀ । ଭାବୀ ଜ୍ୱାଇଁ ଆକାଶ ଓ ସମୁଦୀ ଅଭୟ ପାଠକଙ୍କୁ ମଧ୍ୟ କ୍ଲିନ୍ ଚିଟ୍ ଦେଇଥିଲେ । ଭାବୀ ଜ୍ୱାଇଁ ଟାଟା ମୋଟର୍ସରେ ଏମଡି ପଦରେ ଅଧିଷ୍ଠିତ ବୋଲି ମୁହଁଟାଣ ଦେଖାଇଥିଲେ । ସଙ୍ଗୀନ ଦଫାରେ ଗିରଫ ହୋଇ ଝାରପଡ଼ା ଜେଲ୍ ରେ ଏବେ ଦିନ କାଟୁଥିବା ପ୍ରଦୀପ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।