ପୁରୀ: ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଇବେ ଭକ୍ତ । ପୁରୀ ଶ୍ରୀମନ୍ଦିର କେବେ ଖୋଲିବ ସେଥିଲାଗି ଭକ୍ତଙ୍କ ମନରେ ଲାଗି ରହିଥିବା ଉତ୍କଣ୍ଠାର ଅବସାନ ହେବାକୁ ଯାଉଛି । ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଯିବ । ଆଜି ଛତିଶା ନିଯୋଗ ବୈଠକରେ ଏଥିଲାଗି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଦୁଇ ଦିନ ମଧ୍ୟରେ ଏହା ସରକାରଙ୍କ ଅନୁମୋଦନ ଲାଗି ପଠାଯିବ ବୋଲି ବୈଠକ ଶେଷରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
ମୁଖ୍ୟ ପ୍ରଶାସକ କହିଛନ୍ତି, ଛତିଶା ନିଯୋଗ ବୈଠକର ସୁପାରିଶକୁ ସରକାରଙ୍କ ଅନୁମୋଦନ ମିଳିଲେ ଶ୍ରୀମନ୍ଦିର ଖୋଲିବ । ଭକ୍ତଙ୍କ ଦର୍ଶନ ଲାଗି ଏସଓପି ପ୍ରସ୍ତୁତ କରାଯିବ । ପ୍ରଥମ ୪/୫ ଦିନ କେବଳ ସେବାୟତ ପରିବାର ଓ ପୁରୀବାସୀଙ୍କୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିବ । ନୂଆବର୍ଷରେ ପ୍ରବଳ ଭିଡ଼ ସମ୍ଭାବନା ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖ ଶ୍ରୀମନ୍ଦିର ବନ୍ଦ ରଖାଯିବ । ୩ ତାରିଖରୁ ସବୁ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦିଆଯିବ । ତେବେ ଜିଲ୍ଲା ବାହାରରୁ ଆସୁଥିବା ଭକ୍ତମାନେ କୋଭିଡ୍ ରିପୋର୍ଟ ନେଗେଟିଭ୍ ଦେଖାଇବାକୁ ପଡ଼ିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ରହିବ । ପରେ ଅଧିକ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିଦିଆଯିବ ।
ସବୁ ଭକ୍ତଙ୍କ ଲାଗି କୋଭିଡ୍ କଟକଣା ମାନିବା ବାଧ୍ୟତାମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବେ ଏବଂ ହାତକୁ ସାନିଟାଇଜରରେ ଧୋଇବେ । ସେଥିଲାଗି ଶ୍ରୀମନ୍ଦିର ତିନିଦ୍ୱାରରେ ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଛୋଟପିଲାମାନଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯିବ ।
ମନ୍ଦିର ଖୋଲିବା ପରେ ଭକ୍ତମାନେ ଧାଡିରେ ନିୟମ ମାନି ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ତେବେ ଏହି ସମୟରେ ସାହାଣମେଲା ଦର୍ଶନ ବନ୍ଦ ରହିବ । ସମସ୍ତ ଭକ୍ତ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇବେ ତାହାର ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ମାନି ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ତ୍ରୁଟି ନ ରୁହେ ମନ୍ଦିର ପ୍ରଶାସନ ତାହା ଉପରେ କଡ଼ା ନଜର ରଖିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ମାର୍ଚ୍ଚ ୨୦ ତାରିଖରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଦ୍ୱାର ବନ୍ଦ ରହିଛି ।